ପଞ୍ଚକନ୍ୟା ଙ୍କ ଉତ୍ପତ୍ତି
ପଞ୍ଚକନ୍ୟା ଙ୍କ ଉତ୍ପତ୍ତି
ଆମର ପୁରାଣ ଶାସ୍ତ୍ର ରେ ବର୍ଣ୍ଣିତ
ପଞ୍ଚକନ୍ୟାଙ୍କର କଥା
ମହାଭାରତ ଓ ରାମାୟଣ ବକ୍ଷୁ
ମିଳେ ଏ ମାନଙ୍କ ଗାଥା ।
ପ୍ରାତଃ ସ୍ମରଣୀୟ ପଞ୍ଚକନ୍ୟା ଗଣ
ସୁଗୁଣରେ ଯେ ମଣ୍ଡିତା
ପ୍ରଭୁ ଆଶୀର୍ବାଦେ ବିଭୁଷିତା ପରା
ପଞ୍ଚକନ୍ୟା ଯେ ବନ୍ଦିତା ।
ଅହଲ୍ୟା, ଦୌପଦୀ, ତାରା, ମନ୍ଦୋଦରୀ
କୁନ୍ତି ଭୋଜରାଜ ସୁତା
ପଞ୍ଚକନ୍ୟା ଭାବେ ସର୍ବ ପୂଜିତା ଯେ
ସର୍ବଗୁଣେ ଯେ ମଣ୍ଡିତା ।
ନିଜର ସୃଷ୍ଟିରେ ଅସନ୍ତୁଷ୍ଟ ବ୍ରହ୍ମା
ବିଚ଼ଳିତ ଥିଲା ମନ
ମନ୍ଦ ମନ୍ଦ ବାତେ ଭ୍ରମଣ କାଳରେ
ଅହଲ୍ୟା ଙ୍କର ଗମନ ।
ସତୀତ୍ଵ ହରଣ ଶିଳାକୁ ବରଣ
ଶିଳାରେ କଠୋର ତପ
ବିନାଦୋଷେ ଶାପ ମୁକ୍ତି ପାଇଁ ସେଯେ ଲଭିଲେ ଶ୍ରୀରାମ ସ୍ପର୍ଶ।
ରୂପକାନ୍ତି ତାଙ୍କ ଅପରୂପ ଥିଲା
ଗୁଣେ ସେ ଯେ ବିମଣ୍ଡିତା
ସମର୍ପଣ ଭାବେ ପ୍ରଭୁ କୃପା ପାଇ
ହୋଇଗଲେ ସେ ପୂଜିତା ।
ଦ୍ଵାପର ଯୁଗରେ ପ୍ରତିଶୋଧ ଅର୍ଥେ
ଦ୍ରୁପଦ ଯେ ଯଜ୍ଞ କଲେ
ଯଜ୍ଞରୁ ଜାତ ଯେ ଦୌପଦୀ ସୁନ୍ଦରୀ
ଯାଜ୍ଞସେନୀ ବୋଲାଇଲେ |
ରୂପ ଲାବଣ୍ୟରେ ଜ୍ଞାନ ଗାରିମାରେ
ଥିଲେ ସିଏ ଶ୍ରୀମଣ୍ଡିତା
ବାସୁଦେବ ସଖୀ ପାଣ୍ଡବଙ୍କ ପତ୍ନୀ
ହୋଇଗଲେ ଯେ ପୂଜିତା ।
ଧର୍ମ ସଂସ୍ଥାପନ ଅଙ୍ଗ ଟିଏ ହୋଇ
ନିଜକୁ ସମର୍ପି ଥିଲେ
କୃଷ୍ଣ ସଖୀ କୃଷ୍ଣା ତ୍ୟାଗ ସହିଷ୍ଣୁତା
ଶୀର୍ଷରେ ଯେ ରହିଥିଲେ ।
ବାସୁଦେବ ପ୍ରୀତି ସମର୍ପଣ ତାଙ୍କୁ
ପୂଜିତା ଯେ କରିଦେଲା
ପଞ୍ଚକନ୍ୟା ରୂପେ ବନ୍ଦିତ ହୋଇଲେ
ଧର୍ମର ଜୟ ହୋଇଲା |
ସମୁଦ୍ର ମନ୍ଥନେ ତାରାଙ୍କ ଉତ୍ପତ୍ତି
ବାଳି ରାଜାଙ୍କୁ ଯେ ପ୍ରାପ୍ୟ
ସଦାଚ଼ାରୀ, ସର୍ବଗୁଣେ ସେ ମଣ୍ଡିତା
ସୁନ୍ଦରୀ ଥିଲେ ସେ ଯୋଗ୍ୟ ।
ଶ୍ରୀରାମ ଆଜ୍
ଞାଙ୍କୁ ମୁଣ୍ଡ ପାତି ନେଇ
ଭକତିରେ ବୁଡ଼ି ଥିଲେ
ନାରୀର ସମସ୍ତ ଗୁଣେ ବିମଣ୍ଡିତା
ସତୀତ୍ଵେ ମଣ୍ଡିତା ହେଲେ ।
ସ୍ୱର୍ଗ ଅପସରା ହେମାଙ୍କ ଗମନ
କଇଳାସେ ବିଚ଼ରଣ
ପାର୍ବତୀ ପତିଙ୍କୁ ଦେଖି ଅପସରି
ଆକର୍ଷିତ ହେଲେ ପୁଣ ।
ପାର୍ବତୀଙ୍କୁ ଏହା ଅସହ୍ୟ ହୋଇଲା
ମନେ ଭରିଗଲା କୋପ
ବାର ବର୍ଷ ପାଇଁ ମଣ୍ଡୁକ ହେବାର
ଦେଇଦେଲେ ଅଭିଶାପ ।
ପ୍ରଭୁ ନାରାୟଣ କୃପା ବରସିଲେ
ହୋଇଲେ ସୁନ୍ଦରୀ ନାରୀ
ମଣ୍ଡୁକରୁ ମନ୍ଦୋଦରୀ ହୋଇଗଲେ
ହେଲେ ଅପୂର୍ବ ସୁନ୍ଦରୀ ।
ରାବଣେ ବିବାହ ସଦା ନୀତିଶୀଳା
ଚ଼େଷ୍ଟିତ ପତି ସେବାରେ
ଅନ୍ୟାୟୁ ବାରଣ କରୁଥିଲେ ସଦା
ନିଜେ ସତ୍ ପଥରେ ଥିଲେ |
ଜୀବନ ତାଙ୍କର ଧନ୍ୟ ହୋଇଥିଲା
ଶ୍ରୀରାମ ବାକ୍ୟ ପାଳନେ
ନାରୀ ଶ୍ରେଷ୍ଠା ହେଲେ ପୂଜିତା ହୋଇଲେ
ପଞ୍ଚକନ୍ୟା ରେ ସେ ଜଣେ ।
ସୁରସେନଙ୍କର କନ୍ୟା କୁନ୍ତି ଥିଲେ
ସତ୍ୟରକ୍ଷା କାରଣରୁ
ସନ୍ତାନ ବିହୀନ କୁନ୍ତି ଭୋଜଙ୍କର
ପାଳିତା ହେଲେ ବିଧିରୁ ।
ସତୀ ଶିରୋମଣି ଅନିନ୍ଦ୍ୟ ସୁନ୍ଦରୀ
ତପମଗ୍ନା ନାରୀ ସିଏ
ଦେବତା ବିବଶ ଦ୍ୟନ୍ତି ପୁତ୍ର ତାଙ୍କୁ
କୂଳ ରକ୍ଷା କରି ଥିଲେ ।
ପଣ୍ଡୁରାଣୀ ପୁଣି ସର୍ବଗୁଣେ ଗୁଣୀ
ସତୀ ଶ୍ରେଷ୍ଠା ମାତା କୁନ୍ତି
ଜ୍ଞାନ ଗାରିମାରେ ସଂସ୍କାର ସୂତ୍ରରେ
ପୁତ୍ରେ ବାନ୍ଧିବାରେ ବ୍ରତୀ ।
ବାସୁଦେବ ପ୍ରିୟ ସ୍ନେହର ସାଗର
ସମସ୍ୟା ସୁଧାର ସେତୁ
ତାଙ୍କ ଗୁଣ ତାଙ୍କୁ ବନ୍ଦିତ କରିଛି
ଦେବାକୁ ମାନବେ ହେତୁ ।
ଆମ ସଂସ୍କୃତିର ପବିତ୍ର ଧାରାରେ
ପଞ୍ଚକନ୍ୟା ଙ୍କର ଗାଥା
ସୁସୁମୃଦ୍ଧ କରୁ ଏ ଆମ ଜାତିକୁ
ଆମ ଜାତି ଦେଉ ବାର୍ତ୍ତା ।