STORYMIRROR

Sarojini Mishra

Abstract

3  

Sarojini Mishra

Abstract

ମୋତେ ରକ୍ତ ଦିଅ ମୁଁ ସ୍ଵାଧୀନତା ଦେବି

ମୋତେ ରକ୍ତ ଦିଅ ମୁଁ ସ୍ଵାଧୀନତା ଦେବି

1 min
169


ପିଅର ଜାନକୀ ମାତା ପ୍ରଭାବତୀ

ପୁତ୍ର ଅଟ ପରା ବୀର ସୁବାଷ

ଜନମ ଲଭିଲ ସ୍ଵଳ୍ପ କାଳ ରହି

ସୁବାସ ବିତରି କଲ ହରସ ।


ମାତୃଭୂମି ହାତେ ବେଡ଼ିର ଶୃଙ୍ଖଳ

ଶୁଭୁଥିଲା ଅହିଂସା ମନ୍ତ୍ର ସ୍ଵର

ଅନ୍ୟାୟ ଅସହ୍ୟ ଯୁବ ହିଆ ତ୍ରସ୍ତ

ଗାନ୍ଧୀ ଙ୍କ ନୀତିରୁ ହେଲ ବାହାର ।


ଜନମୁ ବିପ୍ଳବ ବୀଣା ବଜାଇଲ

ସ୍ଳୋଗାନେ କରିଲ ମନ୍ତ୍ର ମୁଗଧ

ମାତୃଭୂମି ହାତୁ ବେଡି ଖୋଲିବାକୁ

ହୋଇଥିଲ ତୁମେ ପ୍ରତିଜ୍ଞା ବଦ୍ଧ ।


ମୋତେ ରକ୍ତ ଦିଅ ସ୍ଵାଧୀନତା ଦେବି

ଏହା ଥିଲା ତୁମ ମୁକ୍ତି ଡାକରା

ତୁମ ଦେଶପ୍ରୀତି ମାରିଦେଲା ଭୀତି

ପଦ ପଦବୀକୁ ନ ଦେଲ ଧରା ।


ଆନ୍ଦୋଳନେ ବ୍ରତୀ ଆହେ ମହାରଥୀ

ଯୁବ ପ୍ରେରଣାର ଉତ୍ସ ବନିଲ

ତୁମ ଡାକରାରେ ବିପ୍ଲବର ମନ୍ତ୍ର

ସଭିଙ୍କୁ ଯେ ମନ୍ତ୍ର ମୁଗ୍ଧ କରିଲ।


ଆଖିରେ ସୁବାସ ନିଆରା ସପନ

ମନରେ ଅଦମ୍ୟ ଶକ୍ତି ସାହସ

ମାତୃଭୂମି ପାଇଁ କେବେ ଛଦ୍ମବେଶ

କେବେ ପୁଣି କାରାଗାର ନିବାସ ।


ଦୃଢ ସଂଗଠକ ହେ ସଂଗ୍ରାମୀ ବୀର

ସପନେ ସ୍ଵରାଜ ସ୍ୱଜନ କଥା

ତ୍ରିରଙ୍ଗା ଏବେ ବି ଖୋଜୁଛି ତୁମକୁ

ଖୋଜେ ସ୍ଵାଧୀନତା ଦିନର ଗାଥା ।


ଦିଲ୍ଲୀ ଚ଼ଲୋ, ତୁମ ଜାଗୃତିର ମନ୍ତ୍ର

ଯୁବ ଜନତା ସେ ମନ୍ତ୍ରେ ଦୀକ୍ଷିତ 

ଫିରିଙ୍ଗି ଶାସନ ମୁଣ୍ଡବ୍ୟଥା ସାଜି

ଆନ୍ଦୋଳନ ପାଇଁ ହେଲ ପ୍ରେରିତ ।


ଆଜାଦ ହିନ୍ଦ୍ ଫୌଜ ମୂଳଦୁଆ ପାତି

ଥରାଇ ଥିଲ ଯେ ଇଂରେଜ ଛାତି

ମେଦିନୀ କମ୍ପାଇ ଆଗକୁ ବଢ଼ିଲ

ଫିରିଙ୍ଗି ଭୁଲିଲା ନିଦ ଓ ରାତି ।


ବିପ୍ଳବର ବାଣୀ ଜାଗୃତିର ଖଣି

ସୁପ୍ତ ଶରୀରକୁ କଲା ଜାଗ୍ରତ

କଥାରେ ତୁମର ଶକ୍ତି ର ପ୍ରବାହ

ସ୍ଳୋଗାନ ତୁମର ଚ଼ରମ ଅସ୍ତ୍ର ।


ଅଧୁରା ସପନ ତେଜ ଉଦୀପ୍ତତା

ସଙ୍ଗେ ନେଇ କାହିଁ ଉଭାଇ ଗଲ

ଜନ୍ମ ଦିନ ସିନା ଲିପିବଦ୍ଧ ହେଲା

ମୃତ୍ୟୁ କଥା ପ୍ରଶ୍ନବାଚୀ କରିଲ ।


ସ୍ଵାଧୀନ ହୋଇଛି ଏଇ ପୁଣ୍ୟ ମାଟି

ହେଲେ ତା ଆଖିରେ ଅଶ୍ରୁର ଧାର

ତୁମକୁ ଖୋଜୁଛି ହେ ବୀର ପୁଙ୍ଗବ

ଶୁଣାଇବା ପାଇଁ ବିପ୍ଲବ ସ୍ଵର |


ଅନୀତି,ଅନ୍ୟାୟ ବିବ୍ରତ କରୁଛି

ଏ ମାଟି ଖୋଜୁଛି ନୀତି ମହକ

ସ୍ଵାଧୀନତା ସଂଜ୍ଞା ବଦଳି ଗଲାଣି

ଆସ କ୍ରାନ୍ତିକାରୀ ଦେଶ ନାୟକ । 


ଜାଗୃତି ବୀଣାରେ ବିପ୍ଳବର ସ୍ଵର

ପୁନଃ ଯୁବକଙ୍କୁ ପ୍ରେରିତ କରୁ

ସ୍ଵାଧୀନତା ଅର୍ଥ ସାର୍ଥକ ହେଉ ହେ

ଦୁନିଆ ଶାନ୍ତି ରେ ନିଃଶ୍ୱାସ ମାରୁ |


ଶ୍ରଦ୍ଧାଞ୍ଜଳୀ ପୁଟେ ନମନ କରୁଛି

ଘେନ ହେ ସଂଗ୍ରାମୀ ମାଟି ମହକ

ବିଶ୍ଵରେ ବିକଶୁ ଭୁରୁଭୁରୁ ବାସ୍ନା

ନୀତି ଆଦର୍ଶର ରହୁ ହେ ଟେକ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract