ସଫଳତା
ସଫଳତା


ଜୀବନ ର ନାମ ଅଟଇ ସଂଘର୍ଷ,
ନିଷ୍ଠା ଦିଏ ସଫଳତା
ଧୈର୍ଯ୍ୟ ସହ ସବୁ କଷ୍ଟକୁ ସ୍ୱୀକାର,
କରିବା ହିଁ ବୁଦ୍ଧିମତା।
ବିଚାର ବିମର୍ଷ ଶୁଦ୍ଧ ହୋଇଥିଲେ,
ଧ୍ୟାନ ରହେ ଲକ୍ଷ ପଥେ
ଆସୁ ଯେତେ ବାଧା ବନ୍ଧନ ଜୀବନେ,
ଚାଲୁଥିବା ଅବିରତେ।
ବିଶ୍ୱାସ ରଖିବା ନିଜ ତାକତ ରେ,
ଆଗକୁ ଆଗେଇ ଯିବା
କଷ୍ଟ ନ କରିଲେ କୃଷ୍ଣ ପ୍ରାପ୍ତି ନାହିଁ,
ଜଗତେ ଜଣେଇଦେବା।
ପରିଶ୍ରମ ଆଉ ସଂଯମତା କୁ,
ଆପଣାର କରିନେଲେ
ସଫଳତା ନିଶ୍ଚେ ଲଭିବା ଜଗତେ,
ଦୃଢ଼ ବିଶ୍ୱାସ ରଖିଲେ।
ବିନା କଷ୍ଟ ବିନା ଲକ୍ଷ୍ୟ ନ ରଖିଲେ,
ସଫଳତା ମିଳେ ନାହିଁ
କ୍ଷୁଦ୍ର ରୁ ବିଶାଳ ଲାଭ ହୁଏ ସିନା,
ଛୋଟ ହେଲେ ଲାଜ ନାହିଁ।
p>
ନମ୍ରତା ସ୍ଵଭାବ ଶୀତଳତା ଦେବ,
ଫୁଲ ପରି ମହକିବ
ମିଥ୍ୟା ଓ ଛଳନା ଅହଂକାର ତେଜି,
ସଫଳତା ମିଳିଯିବ।
ସତ୍ୟ ଧର୍ମ ସେବା ଆପଣେଇ ନେବା,
ପ୍ରୀତି ମୈତ୍ରୀ ବାଣ୍ଟୁଥିବା
ବିଫଳତା କେବେ ପାଶ ନ ମାଡ଼ିବ,
ଆଶୀର୍ବାଦ ସାଉଁଟିବା।
ଅଙ୍କାବଙ୍କା ଏହି ଜୀବନ ପଥରେ,
ବାଘୁଆ ଖରା ର ତାତି.
କର୍ତ୍ତବ୍ୟବୋଧ ର ସହିଷ୍ଣୁତା ଆଗେ,
ଦେବନାହିଁ କେବେ ଭୀତି।
ଦୈବୀକ ଦୈହିକ ଆତ୍ମିକ ଏ ତାପ,
ଲକ୍ଷ୍ୟ ଚ୍ୟୁତ କରେ ନାହିଁ.
ତ୍ରିତାପ କ୍ଳେଶ ରୁ ନିବୃତ୍ତି ମିଳଇ,
ସାଧନାରେ ଥିଲେ ରହି।
ଅସମ୍ଭବ ଶବ୍ଦ ମନୁ ପୋଛିଦେବ,
ଲଗନ ଲଗାଇ ଚାଲ
ସଫଳତା ଆସି ଉଲ୍ଲାସ ଭରିବ,
ଯନ୍ତ୍ରଣା ହୋଇବ ଲୀନ।