ବେଳେବେଳେ
ବେଳେବେଳେ
ବେଳେବେଳେ
ହଜିବାକୁ ଭଲ ଲାଗେ
ପ୍ରକୃତିର ବିଜନ କୋଳରେ
ମାପିବାକୁ ଇଚ୍ଛା ହୁଏ ଜୀବନକୁ
ଦର୍ଶନ ଶାସ୍ତ୍ରର ପ୍ରତି ପୃଷ୍ଠାରେ
ପଢିବାକୁ ଆଗହୀ ଗହନ ତଥ୍ୟରେ।
ବେଳେ ବେଳେ
ଅୟୁତ ଇପ୍ସା ଜାଗେ
ଅଦୃଶ୍ୟ ଅରୂପ ସତ୍ତାରେ
କଣ କାହିଁକି କେମିତି ପ୍ରଶ୍ନ
କଲବଲ କରନ୍ତି ଏମିତି
ଗୋଟେ ଗୋଟେ ସକାଳରେ।
ବେଳେବେଳେ
ସମାଧିସ୍ଥ ହେବାକୁ ଭଲଲାଗେ
ନିଜ ସ୍ଥିତି ବିସ୍ମୃତି ଭିତରେ
ଏମିତି ହେବା ବୋଧେ ଜୀବନ
ବୁଝିଯାଏ ଆପଣା ଭିତରେ
ଶୁନ୍ୟ ହିଁ ପୁଣ୍ୟତା ଏଇ ମିଶାଣରେ।
ବେଳେବେଳେ
ନିଜ ପର ଭାବ ଦୋହଲାନ୍ତି
ବିବେକ ଓ ମନ ଜୀବନ
ଜାଣିଲେ ବି ମୃତ୍ୟୁ ଅଛି ସେଇଠି
ତଥାପି ଲୋଭ ସୁନାର ହରିଣ
ବାର ବାର କରୁଥାଏ ସୁଖ ସୀତା ହରଣ!!
