କବି ହୃଦୟର ଅନୁଭୂତି
କବି ହୃଦୟର ଅନୁଭୂତି
କବିତ୍ଵ କଳାଟି ଈଶ୍ଵରଙ୍କ ଦାନ
ଐଶରୀୟ କଳାଏହି
ସବୁ ମଣିଷରେ ନାହିଁ ଏ କଳାଟି
କେତେ ଯୁଗ ଗଲା ବହି । ୧ ।
ମାତା ସରସ୍ୱତୀ ଦୟାହେଲେ ଯାଇ
କବି କଣ୍ଠରେ ବସଇ
ମାଳମାଳ ହୋଇ ଶବ୍ଦର ଲହରୀ
ହୃଦରୁ ଫୁଟି ଆସଇ । ୨ ।
ବର୍ଣ୍ଣମାଳା ଯୋଡ଼ି ଶବ୍ଦ ଗଢିଥାଉ
ଅନେକ ଶବ୍ଦରେ ବାକ୍ୟ
ବାକ୍ୟ ଲେଖିଦେଲେ କବିତା ହୁଏନି
ଯଦି ନାହିଁ ଭାବ ତତ୍ତ୍ଵ । ୩ ।
ଲେଖା ଲେଖି ଦେଲେ ନୁହଁଇ ସେ କବି
ଯଦି ନାହିଁ ଭାବ ଜ୍ଞାନ
କବିତ୍ଵ ପଣଟି ପାଣ୍ଡିତ୍ୟ ଅଟଇ
ଜ୍ଞାନର ପ୍ରତିଫଳନ । ୪ ।
ଭାବ ଭକ୍ତି ତତ୍ତ୍ଵ ଭାଷା ସଂଯମତା
ଥିଲେ ଭାଷାର ସାଲିନ
ଜ୍ଞାନର ଗାରିମା ଫୁଟାଇ ପାରେଟି
ସଂସାରେ କବିତ୍ଵ ପଣ । ୫ ।
ଶବ୍ଦେ ଶବ୍ଦେ ଥାଏ ଜ୍ଞାନ ଅସୁମାରୀ
କଲେ ଶବ୍ଦ ସଂଯୋଜନ
ବିରହ ବେଦନା ଭକ୍ତିର ଜଣାଣ
କିବା ସମାଜ କଲ୍ୟାଣ । ୬ ।
ଆଧୂନିକତାର ଭାବର ଧାରାରେ
କବିତା କଲେ ରଚନା
ପ୍ରେମିକ ପ୍ରେମିକା କବିତା ବିନ୍ୟାସେ
ଆଣିଥାଏ ଉନ୍ମାଦନା । ୭ ।
ସମାଜ କଲ୍ୟାଣେ ସାମାଜିକ ବାର୍ତ୍ତା
ପଢି ଜନ ସଚେତନ
ପୌରାଣିକ ତଥ୍ୟ କରନ୍ତି ରଚନ
ଥିଲେ ପୌରାଣିକ ଜ୍ଞାନ । ୮ ।
ଶବ୍ଦର ଭଣ୍ଡାର ଜ୍ଞାନର ଭଣ୍ଡାର
ଭାବରେ ଭାବ ବନ୍ଧନ
କାବ୍ୟ ରସ ହରି ରସ ଭାଷା ସ୍ଵାଦ
ଷଡରସେ କବି ପଣ । ୯ ।
ଭାଷାର ସାଧନ ସମାଜ କଲ୍ୟାଣ
ସ୍ରଷ୍ଟାର ଧନ୍ଯ ଜୀବନ
ଲେଖକ ଓ କବି ଭିନ୍ନାଭିନ୍ନ ଅଟେ
ପରିମାର୍ଜିତେ କବିତ୍ଵ ପଣ । ୧୦।