ରହି ଉଜାଗର ଜାଳିବି ଜାଗର
ରହି ଉଜାଗର ଜାଳିବି ଜାଗର
ଜାଗର କହୁଛି ଉଜାଗର କଥା
କହୁଛି ଗାରିମା ଗାଥା
ତ୍ୟାଗ ଆଉ ମହା ଭାବନାରେ ପୁର୍ଣ୍ଣ
ନୀଳକଣ୍ଠ ତୁମେ ଶ୍ରେଷ୍ଠା ।
ସମୁହ ସ୍ୱାର୍ଥରେ ନିଜର ଆହୂତି
ତୁମେ ତ ଶିଖାଇ ଅଛ
ବିଷପାନ କରି ଅଭୟ ଦେଇଛ
ହେ ମହାତପସ୍ୱୀ ସ୍ୱଚ୍ଛ |
ତବ ମହାଗାଥା ଆମ ପୁଣ୍ୟ ପ୍ରଥା
ଶିରା ପ୍ରଶିରାରେ ଲେଖା
ତୁମ ତ୍ୟାଗ ଗାଥା ଆଜିର ମହାତ୍ମ୍ୟ
ଦେଖାଇବ ନିଶ୍ଚେ ରାସ୍ତା ।
ହେ ମହାତପସ୍ୱୀ ତୁମ ବିଷପାନ
ଦେବଗଣଙ୍କର ସ୍ତୁତି
ଉଜାଗର ରହି ଜାଗର ଜାଳିଲେ
ତୁମ ସୁସ୍ଥତା ରେ ବ୍ରତୀ ।
ଆଜି ତ ଜାଗର ସେ ମହା ପ୍ରହର
ଜାଗର ଜଳେ ମନ୍ଦିରେ
ରହି ଉଜାଗର ଜାଳିବି ଜାଗର
ମହାଦେବ ସମୀପ ରେ |
ରହି ଉଜାଗର ଜାଳିବି ଜାଗର
ଗୟସ ଦୁଦୁରା ନେବି
ବେଲ ପତରରେ ସଜାଇ ଦେଇ ହେ
ଦୀପଟେ ଜାଳି ବସିବି |
ଅଖଣ୍ଡ ଦୀପରେ ବିଖଣ୍ଡିତ ମନ
ସଜାଡ଼ି ଦେଇ ବସିବି
ଏଇ ବିଶ୍ୱ ପାଇଁ ଅଖଣ୍ଡତା ମାଗି
ଚ଼ରଣେ ଶରଣ ଯିବି |
ଦୀପ ଆଲୋକର ଶିଖାରେ ଶିଖାରେ
ତୁମକୁ ନିରେଖୁ ଥିବି
ଶ୍ମଶାନ ରହଣି ଭସ୍ମ ବିଲେପନ
ସବୁ ଠୁ କିଛି ଶିଖିବି |
ତୁମ ବିଭୂତିକୁ ହାତେ ତୋଳି ନେଇ
ଦେହରେ ବୋଳି ହୋଇବି
ଦୀପ ଆଲୋକ ର ପବିତ୍ର ଶିଖାରେ
ମନ ପୁତ କରି ଦେବି ।
ଉଜାଗର ରହି ଜାଗର ଜାଳି ମୁଁ
ବିଶ୍ଵ ମଙ୍ଗଳ ଚାହିଁବି
ଆଲୋକ ଶିଖାରେ ମୋ ଅନ୍ତର୍ମନକୁ
ଆଲୋକିତ କରିଦେବି ।
ତ୍ୟାଗମନ୍ତ୍ର ଶିଖି ତୁମ ଚରିତରୁ
ମାନିବା ପ୍ରୟାସେ ଥିବି
ତୁମ କଳେବର ମୋ ଦୀପ ଶିଖାରେ
ଉଜ୍ଜଳ କରି ଦେଖିବି |
ଉଜାଗର ରହି ଜାଗର ଜାଳି ମୁଁ
ତୁମକୁ ନିରେଖୁ ଥିବି
ଅହଂକାର ଶୂନ୍ୟ ବାସନା ବିହୀନ
ନିର୍ଲୋଭତାକୁ ପାଇବି ।
ଜାଗର ଦୀପ ର ଶାନ୍ତ ସଳିତାରେ
ସବୁ ଆପଣେଇ ନେବି
ତୁମ ଆଶୀର୍ବାଦ ଭିକ୍ଷା କରି ପ୍ରଭୁ
ଚ଼ରଣେ ଶରଣ ନେବି |
ଉଜାଗର ରହି ଜାଳିବି ଜାଗର
ନୀଳକଣ୍ଠ ମହେଶ୍ୱର
ସେ ଦୀପ ଶିଖା ରେ ଓହ୍ଲାଇ ଆସିବ
ଆଶୁତୋଷ ହେ ଶଙ୍କର ।
ଏ ବିଶ୍ଵ ବ୍ରହ୍ମାଣ୍ଡ ଅଶାନ୍ତି ଘେରରେ
ପହିଁରୁଛି ଋଷି ବର
ଜାଗର ଆଲୋକେ ଶାନ୍ତି ଭରିଦିଅ
ଆହେ ବ୍ରହ୍ମାଣ୍ଡ ଇଶ୍ଵର ।
ଜାଗର ଆଲୋକ ନୂଆ ଦିଶା ଦେଉ
ନୂତନତା ଭରି ଯାଉ
ଭାତୃତ୍ଵ ମନ୍ତ୍ରରେ ଏ ବିଶ୍ଵ ଭୂବନ
ଆନନ୍ଦେ ଦୀକ୍ଷିତ ହେଉ ।
