STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଆମରି ଶାସନ ଆମରି ହାତେ

ଆମରି ଶାସନ ଆମରି ହାତେ

2 mins
327


କେତେ ବଳିଦାନ କେତେ ତ୍ୟାଗ ସ୍ରୋତ

କେତେ ଅସରା ଯନ୍ତ୍ରଣା

ସ୍ୱାଧୀନତା ପଟ୍ଟପୃଷ୍ଟିକାରେ ଲେଖା

କିଏ ଦେବ ତା ପାଉଣା ।


ସ୍ଵାଧୀନ ଦେଶରେ ଜନମ ତ ଆମେ

ଗଣତନ୍ତ୍ର ଗାଥା ନେଇ

ଗଣ ହୋଇ ଆମେ ସବୁଥିରେ ଛନ୍ଦା

ଅଧିକାର ଝଣ୍ଡା ନେଇ ।


ବୀର ପ୍ରସବିନୀ ଜନନୀ କୋଳରେ

ଗଣତନ୍ତ୍ର ଝଣ୍ଡା ଉଡ଼େ

ଅଧିକାର ଆଉ କର୍ତ୍ତବ୍ୟ ମଝିରେ

ସତେ କି ପାଚେରୀ ପଡ଼େ ।


ଆମେ ଚ଼ଲଇବୁ ଶାସନ ଆମରି

ଏହା ଗଣତନ୍ତ୍ର ମନ୍ତ୍ର

ଗଣ ତନ୍ତ୍ର ସତେ ଦିଗ ହରାଉଛି

ମନ ହୁଏ ଭୀତ ତ୍ରସ୍ତ ।


ଗଣତନ୍ତ୍ର ବୁକେ ରଣର ଝଙ୍କାର

ଶାସନ କାଗଜ ପତ୍ରେ

କ୍ଷମତା ବୁକୁ ରେ ଗଣତନ୍ତ୍ର ମନ୍ତ୍ର

ସତେ କି କାନ୍ଦଇ ରାତ୍ରେ ।


ଆମରି ଶାସନ ଆମରି ହାତରେ

ଆମେ ଶାସନ ଗଢିବା

ଆମ ଅଧିକାର ସାବ୍ୟସ୍ତ କରି ଯେ

ଆମେ ପ୍ରଶ୍ନ ପଚାରିବା ।


ନୀତି ନିୟମ କୁ ନିଜେ ପାଳି ପୁଣି

ଶାସନେ ନୀତି ଆଣିବା

ଦଳତନ୍ତ୍ର କୁ ଯେ ଗଣତନ୍ତ୍ର କରି

ଦେଶ ସମୃଦ୍ଧି କରିବା |


ବ୍ୟକ୍ତି ସ୍ଵାଧିନତା ଅକ୍ଷରେ ଅକ୍ଷରେ

ଆମେ ପାଳନ କରିବା

ସ୍ଵାଧୀନତା ନୁହେଁ ସ୍ଵେଚ୍ଛାଚାରିତା ଯେ

ଏହା ପାଶୋରି ନ ଦେବା ।


ଆମରି ଶାସନ ଆମରି ହାତରେ

ଏକତା ଏହାର ସୂତ୍ର

ସେଇ ସୂତ୍ରେ ବାନ୍ଧି ବିବେକକୁ ଛନ୍ଦି

ଶାସନ ହେବ ପବିତ୍ର ।


ନିଃସ୍ୱାର୍ଥ ଚ଼ୟନ ନୀତି ଜାଗରଣ

ବାସ୍ତବତା ର ଦର୍ଶନ

ନିଃସ୍ୱାର୍ଥ ବୟାନ ସ୍ଥିତି ନିର୍ଦ୍ଧାରଣ

ସତ୍ ପଥ କରୁ ଦର୍ଶନ | 


ଆମରି ଶାସନ ଆମରି ହାତରେ

ସଚ୍ଚୋଟତା ତାର ଧାରା

ନିରପେକ୍ଷତା ର ମୂଳଦୁଆ ପରେ

ଆମ ଶାସନର ଭାରା ।


ଆମରି ଶାସନ ଆମରି ହାତରେ

ଆମେ ଅଟୁ କରିତ୍ କର୍ମା

ଲାଞ୍ଚ ନିଜେ ଦେଇ ଲାଞ୍ଚୁଆ କହିଲେ

କି ଅବା ଆମ ମହିମା ।


ସ୍ଵାଧୀନତା ଅର୍ଥ ସାକାର କରିବା

ଆମରି ହାତରେ ଲେଖା

ଗଣତନ୍ତ୍ରର ଏ ସୁନ୍ଦର ମନ୍ଦିର

ଆମ ପାଇଁ ରଙ୍ଗ ମଖା |


ଆମରି ଶାସନ ଆମରି ହାତରେ

ଚାହିଁଲେ ମନ୍ତ୍ରର ଧ୍ବନୀ

ଆମରି ପାଇଁ ଯେ ଶାସନ କ୍ଷମତା

ସବୁ ହୋଇ ଯିବ ପାଣି l


ଆମରି ଶାସନ ଆମରି ହାତରେ

ଚାହିଁଲେ ସରଗପୁରୀ

ତା ନ ହେଲେ ଦେଶ ହେବ ନାରଖାର

କ୍ରନ୍ଦନ ରେ ଯିବ ଭରି ।


ଆମରି ଶାସନ ଆମରି ହାତରେ

ଆସ ଏକଜୁଟ ହେବା

ଅନ୍ୟାୟ ଅନୀତି କଳା ବଜାରୀକୁ

ଏ ଦେଶରୁ ତଡି ଦେବା ।


ଗଣତନ୍ତ୍ର ସ୍ଵାଦ ପୂର୍ଣ୍ଣତଃ ଚାଖିବା

ହସିବ ଗ୍ରାମୁ ସହର

ଦଳ ନିର୍ବିଶେଷେ ଉନ୍ନତିର କଥା

ମନେ କରି ଯିବ ଘର ।


ବ୍ୟକ୍ତି ସ୍ଵତନ୍ତ୍ରତା ରୂପ ରେଖ ନେବ

ଜାତି ସ୍ଵତନ୍ତ୍ରତା ହୋଇ

ଆମରି ହାତର ଶାସନ ଯେ ଦେବ

ଶୂଚିନିଷ୍ଠ ସେବା ଭୂଇଁ ।


Rate this content
Log in

Similar oriya poem from Inspirational