ପରିତ୍ରାଣ
ପରିତ୍ରାଣ


ଆଉ ଜୀଇଁବାର ଇଛା ନାହିଁ ପ୍ରଭୁ ଦିଅ ମୁକ୍ତି ମୋତେ ଦିଅ
ପାଇବାର ଆଶା ଛାଡ଼ି ମୁଁ ସାରିଛି ନାହିଁ ମୋର ଆଉ ମୋହ!!
ଏ ଜୀବନ ତୁମ ସେବାରେ ନ ଲାଗି ବିନଷ୍ଟ ହୋଇଲା ଯାହା
ତୁମେ ଏକା ପ୍ରଭୁ ଏ ଭବ ସାଗରେ ଅଟ ତ ମୋହର ସାହା!!
ବାମନ ହୋଇ ମୁଁ ବଢ଼ାଇଲି ହାତ ସରଗ ଚାନ୍ଦକୁ ତୋଳିବା ପାଇଁ
ମୋ ତମାମ ଗର୍ବକୁ ତୁମେ ଖର୍ବ କରିଛ ଆହେ ଜଗତ ସାଇଁ!!
ମୋର ମୋର ବୋଲି ଯାହା ଅରଜିଲି ସବୁ ତ ହୋଇଲା ପର
କି ଲାଭରେ ଆଉ ପଡିଥିବ ଏଠି ତୁଛା ଲାଗଇ ଘର ସଂସାର!!
ଏତେ ବଡ଼ ଦୁନିଆଁରେ ଆପଣାର ବୋଲି ମୋର କେହି ନାହିଁ
ଏକୁଟିଆ ଏମିତି ଆଉ ମୁହିଁ ଜୀଇଁବି ଅବା କାହିଁକି କାହା ପାଇଁ??
ମୋ କ
ରମ ଫଳ ମୁହିଁ ତ ଭୋଗୁଛି ହିନିମାନ ହୋଇ ମହୀରେ
ତୁମେ ଦୟା କଲେ ପ୍ରାରବ୍ଧ ପାତକ ମୋହର ନାଶ ଯିବ ଅଚିରେ!!
ମାନ ଅଭିମାନ ଆଶା ଅବଶୋଷ ଆଉ ନାହିଁ ମୋ ଜୀବନେ
ଦେବା ନେବାର ହିସାବ ସରିଛି ବାକି କିଛି ପଡୁ ନାହିଁ ମନେ!!
ହାର୍ ଜିତ୍ ଫଇସଲା କରିବା ନ୍ଯସ୍ତ ହୋଇଛି ସମୟ ଉପରେ
ମୁହିଁ ତ ସାମାନ୍ୟ କ୍ରୀଡ଼ନକଟିଏ ମାତ୍ର ନିଠୁର ନିୟତି ହାତରେ!!
ଜୀଇଁବାକୁ ଆଉ କାରଣ ମୋ ନାହିଁ ଦିଅ ମୋତେ ବାରେ ମୁକ୍ତି
ତୁମ ଶ୍ରୀଛାମୁରେ ଅଳି କରିବାକୁ ଦେହେ ନାହିଁ ମୋର ଶକ୍ତି!!
ପ୍ରାଣପକ୍ଷୀ ମୋର ଉଡିଯାଉ ଦୂରେ ନୀରବେ ସର୍ବ ଅଲକ୍ଷ୍ୟରେ
ମୋର ବିୟୋଗରେ ନ ଆସୁ ଜକେଇ ଲୁହ କାହାରି ଆଖିରେ!!