ଗୌତମ ବୁଦ୍ଧ
ଗୌତମ ବୁଦ୍ଧ


କଣ ଅବା ଥିଲା ଅଭାବ??
ସବୁ କିଛି ତ ଥିଲା ହାତ ପାହାନ୍ତାରେ
ଯୌବନ ପ୍ରଭୁତ୍ବ ପୁ୍ନଶ୍ଚ ଅର୍ଥର ପ୍ରାଚୁର୍ଯ୍ୟ
ସମସ୍ତ ପାର୍ଥିବ ସୁଖ ସୁବିଧା ଐଶ୍ଵର୍ଯ୍ୟ!!
କଣ ପାଇଁ ସେ ଚାଲିଗଲେ
ତ୍ୟାଗକରି ରାଜ ସିଂହାସନ
ନିଷ୍କଣ୍ଟକ ରାଜଭୋଗ ବିସ୍ତୃତ ସାମ୍ରାଜ୍ୟ
ସୌମ୍ୟା ପତ୍ନୀ ଶିଶୁ ପୁତ୍ର ମାତାପିତା
ମାୟା ମୋହ ସ୍ନେହ ମମତାର ବନ୍ଧନ
ରାଜପ୍ରାସାଦର ସକଳ
ଅୟସ ଆରାମ ବିଳାସ ବ୍ୟସନ??
କାହାର ଅନ୍ବେଷଣରେ
କାଉଁରୀ ଆକର୍ଷଣରେ
ଉଚ୍ଚାଟିତ ମନ ପ୍ରାଣ
କଲା ପ୍ରେରିତ ସନ୍ଯାସର
କଣ୍ଟକିତ ବନ୍ଧୁର ମାର୍ଗରେ
ତ୍ଯଜି ସୁନାର ସଂସାର??
ଯାହା ପାଇବା ପାଇଁ ଅଧୁନାତନ
ସାଧୁ - ସନ୍ଥ - ସନ୍ୟାସୀ - ଗୃହସ୍ଥ
ବାଳକ - ବୃଦ୍ଧ - ପ୍ରୌଢ - ବନିତା
ସଦା ବ୍ୟାକୁଳ - ବିକଳ - ପାଗଳ
ସବୁ କିଛି ତ ଥିଲା ତାଙ୍କର!!
ସର୍ବସ୍ବ ତ୍ୟାଗୀ ଘନ ତମିସ୍ରା ଲଂଘି
ଆଚରଣ ଉଚ୍ଚାରଣର ସଠିକ ସମନ୍ବୟରେ
କାୟମନୋବାକ୍ଯରେ ସମର୍ପିତ ହୋଇ
ଶୁଦ୍ଧାନ୍ତକରଣେ ସେ ସିଦ୍ଧାର୍ଥରୁ ପାଲୋଟିଲେ
ଜ୍ଞାନର ଅବତାର ଅସୀମ ଆଲୋକର ଉତ୍ସ
ଯୁଗସ୍ରଷ୍ଟା ଶାକ୍ୟମୁନୀ ଗୌତମ ବୁଦ୍ଧ
ହରିବାକୁ ଯୁଗ ଯୁଗର ଧର୍ମାନ୍ଧ କଳୁଷ!!
ବ୍ୟାଧି - ଜରା - ମୃତ୍ଯୁ
ସଂସାରର ଏକ ମାତ୍ର ସତ୍ୟ
ଅନ୍ୟସବୁ ଅଳିକ - ଅନିତ୍ୟ
ପ୍ରଚାରିଲେ ପ୍ରଭୁ ତଥାଗତ
ନିର୍ବାଣର ସନ୍ମାର୍ଗ କରି ପ୍ରଦର୍ଶିତ
ଜୀବଗଣେ ବାଣ୍ଟିଲେ ପ୍ରକାଶ!!