ଶୀତ ଲହରି
ଶୀତ ଲହରି
ହେମନ୍ତର ଶେଷେ ଶୀତ ଆସିଅଛି
ଶୀତୁଆ ପବନ ନେଇ,
ଉତ୍ତର ଦିଗରୁ ପବନ ବହୁଛି
ଦେହକୁ ଦିଏ ଥରାଇ l
ଶୀତ ଋତୁରେ ଯେ ରାତି ବଡ ହୁଏ
ଦିନ ହୋଇଯାଏ ଛୋଟ,
ଚାହୁଁ ଚାହୁଁ ବେଳ ବୁଡ଼ିଯାଏ ପୁଣି
ଆଳସ୍ୟ ଲାଗେ ବହୁତ l
ଶୀତର ପ୍ରକୋପ ସହି ହୁଏ ନାହିଁ
ନିଆଁ ଜଳାଇ ପୁଁଆନ୍ତି,
ଶୀତ ପୋଷାକ ଓ କମ୍ବଳ କନ୍ଥାକୁ
ଘୋଡାଇ ହୋଇ ଶୁଅନ୍ତି l
କୁହୁଡି ଚାଦର ଘୋଡାଇ ହୋଇଣ
ପ୍ରକୃତିରାଣୀଟି ହସେ,
ଦେହରେ ତାହାର କାକରର ଟୋପା
ମୁକୁତା ପରାଏ ଦିଶେ l
ସେବତୀ,ଗୋଲାପ,ଡ଼ାଲିଆ,ଟଗର
ରଙ୍ଗଣୀ ,ଗେଣ୍ଡୁର ପୁଷ୍ପେ,
ସୋରିଷ ଫୁଲ ଓ ସୂର୍ଯ୍ୟମୁଖୀ ଫୁଲ
କି ସୁନ୍ଦର ଆହା ଦିଶେ l
ଶୀତ ବସ୍ତ୍ର କାଢି ଘୋଡେଇ ହୋଇଲେ
ଜଗନ୍ନାଥ ମହାପ୍ରଭୁ,
କଷଣ ପାଇଲେ ବାସ ଯା'ର ନାହିଁ
ଗରିବ ଲୋକତ ସବୁ l
ହେ ବିଶ୍ୱବିନ୍ଧାଣି ବିଶ୍ୱର କର୍ତ୍ତା
ଧନ୍ୟ ହେ ତୁମ୍ଭର ସୃଷ୍ଟି,
ଋତୁର ଚକ୍ରରେ ଏ ଧରା ଧାମରେ
କାଳକୁ ଦେଇଛ ବାଣ୍ଟି l
ମାଘର ଶେଷରେ ଟଳିଯିବ ଶୀତ
ଏହି କଥା ଥାଅ ଜାଣି,
ବସନ୍ତର ବାର୍ତ୍ତା ଘେନିକି ଆସିବେ
ବାସନ୍ତୀ ମା'ବୀଣାପାଣି l
