STORYMIRROR

Panchanan Jena

Romance

3  

Panchanan Jena

Romance

ଶୀତ ଗୁରୁବାରୀ

ଶୀତ ଗୁରୁବାରୀ

1 min
408

କୁହୁଡି ଚାଦର ଚିରି

ଆସେ ଶୀତ ଥିରି ଥିରି

ଶୀତ କୁମାରୀ ଗୁରୁବାରୀ

ଚୁମି ଯାଏ ଧରଣୀ ଅମ୍ବର

ଦେଖ ସରମରେ ଅରୁଣିମା ଲାଲ

ଗୋଟିଏ ଗାଲ ରାଣୀର ।


ସୁକୁମାରୀ ଶୀତ

ପାଣି ପବନ ସହିତ ବସିଛି ମିତ

ହାତ ମିଳେଇଛି ସଙ୍ଗାତ

ପାଣି ବରଫକୁ

ପବନ ହେମାଳ

ସବୁ ଗୋଳମାଳ

ମନ ତନ ବଦନ ହେମ୍ଵାଳ ।


କାଲୁଆ କେଁଚୁଆ ଜୀବ ଜଗତ

ଗଛମାନେ କାଲେଇ ଛିଡା

ଶୋର ଶବଦ ନାହିଁ

କଷ୍ଟରେ ଟପ୍ ଟପ୍ ଝରି ପଡ଼ୁଛି

କେଇ ବୁନ୍ଦା 

ପତ୍ର ଗହଳରୁ ଗଳ ଗଳ ।


ମୌନାବତୀ ଶୀତ ଅଭିମାନିନୀ

ରୋଷିଛି ବୋଧେ

ଦେହ ହାତ କ'ଣ

ମଞ୍ଜ ଥରେଇ ଦେଉଛି ପ୍ରମାଦେ 

ମଣିଷ ଛାଡ଼ ବିଚରା

ସୂର୍ଯ୍ୟ ଦେବ ବି ଦିଶୁ ନାହାନ୍ତି

ବେଳ ଚାରିଘଡି ପାରିଲାଣି ପରା ।


କାକର ଦୋଳିରେ ଝୁଲୁଛି

ଗେହ୍ଲେଇ ଶୀତ କୁମାରୀ 

ତାରକସି ଦୋଳି

ହୀରା ନୀଳା ସାଉଁଳୀ ଡୋରୀ

ଦୁଧୂଆ ଶୁଭ୍ରା ତନୁ ବଲ୍ଲରୀ

ସେକେଇ ହେଉଛି

ଟାଣ କରୁଛି କୋମଳାଙ୍ଗୀ

ସଜ ବିମ୍ଵାଧରୀ ।


ସଂଧ୍ୟାର ଓତଣୀ ତଳୁ

ଶୀତ ଉଙ୍କିମାରେ

ଭାରି ଶରଧାରେ

ଲାଜ ସଂକୋଚରେ

ଅଧରେ ରଙ୍ଗୀନ ଆଶା ଫୁଟେଇ

ଗେଣ୍ଡୁ ଡ଼ାଲିଆର ମୁରୁକି ନାଇ

ଛଟକି ଛଇ

ଫୁଲେଇ ରାଇ

ହସ କୁଲେଇ

ତାରା ଟିକିଲି ନାଇ

ଫୁଲ ଚାଦର ଘୋଡେଇ

ବୁଲିଯିବ ନଗର ସହର ପୁର

ଗୋଡ଼ କାଢି ବସିଛି ଚାହିଁ

ପ୍ରାଣକାନ୍ତ ଶୀତନାଥ ପଥ ଅନେଇ ।


ମଉନମୁହିଁ ଶୀତ ସୌଭାଗ୍ୟବତୀ

ଶୀତନାଥଙ୍କୁ ପାଇଛି ପତି

ପୂର୍ଣ୍ଣ ହେଉ ମନୋରଥ ପ୍ରୀତି

ସମର୍ପଣ ଋତୁମତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance