ଶୀତ ଏକ କରୁଣ ସଙ୍ଗୀତ
ଶୀତ ଏକ କରୁଣ ସଙ୍ଗୀତ
ସକାଳୁ ସକାଳୁ ଘାସ ଗାଲିଚାରେ
ଫୁଟେ ମୋତିର ଚମକ
ଧରା ପୃଷ୍ଠେ ଶୀତ-ରାଣୀ ବିରାଜିତ
ଚର୍ଚ୍ଚା ଏକକୁ ଆରେକ
ସୂର୍ଯ୍ୟ କିରଣର ଆଭା ଧୁମ୍ର ମୟ
କୁହୁଡି ଭରା ବଳୟ
ତନ ମନ ପ୍ରାୟ ଶିହରୀ ଉଠୁଛି
ଉସ୍ମତା ପାଇଁ ଅଥୟ
ଶୀତ ସକାଳୁଆ କୁହୁଡ଼ି ଘେରରେ
ଲୁଚେ ସୂର୍ଯ୍ୟଙ୍କ କିରଣ
ଯଦିଓ କିରଣ ହୁଏ ପ୍ରକାଶିତ
ଉତ୍ତାପ ହୁଏନି ଟାଣ।
ଶୀତ ଛୁଇଁ ଦେଲେ ସଭିଙ୍କ ମନରେ
ଉଷୁମ ପାଇଁ ଲାଳସା
ଶରୀରକୁ ଉଷ୍ମ ରଖିବା ପ୍ରୟାସ
ଜାଗ୍ରତ ହୁଏ ସହସା।
ବୟସ୍କ ଶରୀର ହୁଏ ସନ୍ତାପିତ
ସହ୍ୟ ହେଉନାହିଁ ଶୀତ
ଉଷ୍ମ ବସ୍ତ୍ର ଯେତେ ଢାଙ୍କି ହେଲେ ସୁଦ୍ଧା
ଶରୀର ହେଉନି ତୃପ୍ତ
ରାସ୍ତା କଡେ ବାସ-ହୀନ ପିଲା ମେଳି
ବସି ଥାନ୍ତି ନିଆଁ ଜାଳି
ହସ ର ଆଭାସ ଉଠଇ ଉଛୁଳି
ଉଷ୍ମତା କୁ ଅଙ୍ଗେ ବୋଳି
ଗରମ ପୋଷାକ ଥାଉ ବା ନଥାଉ
ସକାଳର ନିଆଁ ପୁଆଁ
ଅନୁଭବୀ ମାତ୍ର ବୁଝାଇ ପାରିବ
ନିଆଁ ପୁଆଁ ମଜାଳିଆ।
ଗ୍ରାମ ବା ସହର ଭେଦ ଭାବ ନାହିଁ
ଶୀତ ପାଖେ ଆପଣାର
ବୟ
ସର ବର୍ଗ ଯାହା ହୋଇ ଥାଉ
ଉତ୍ତାପ ଖୋଜେ ଶରୀର।
ଶୀତୁଆ ସକାଳୁ ନିଆଁ ପୁଆଁ ଖୁସି
ନିଆଁ ପାଖେ ଉଠା ବସା
ଖୋଲା ଜାଗା ଦେଖି ନିଆଁ ଚାରି ପାଖେ
ମେଳି ହୁଅଇ ସହସା ।
ଶୀତୁଆ ସକାଳୁ ନିଆଁ ପୁଆଁ ମେଳି
ଦେଖିଲେ ମନ ଉଚ୍ଚାଟ
ଆପେ ଆପେ ପାଦ ଆଗକୁ ବଢ଼ଇ
ନିଆଁ ପୁଆଁ ମେଳେ ଭେଟ।
ନିଆଁ ପୁଆଁ ସହ ଭାବ ଦିଆ ନିଆ
ତନ ମନ ପାଇଁ ହିତ
ଭାଇଚାରା ଭାବ ଜାଗି ଉଠେ ହୃଦେ
ମାନବିକତା ସହିତ।
ଗାଆଁ ପରିବେଶ ସମ୍ପର୍କର ମେଳ
କ୍ରମେ ହେଉଅଛି ଲୋପ
ସଭ୍ୟତାର ଦ୍ରୁତ ବିକାଶ ସହିତ
ଭାବ ସଂପୂର୍ଣ୍ଣ ବିଲୋପ।
ଶୀତ ଉପଯୋଗୀ ପୋଷାକ ବିହୁନେ
ଗରିବ ଉପାୟ ଖୋଜେ
କାଠି କୁଟା ଜାଳି ନିଆଁ ଧାସ ଧାରେ
ନିଜକୁ ରଖେ ସହଜେ
ବାସ ହୀନ ଦୁଃଖ ହୁଏ ଅପ୍ରମିତ
ଶୀତର ପ୍ରକୋପ ଧାରେ
ଶୀତ ବସ୍ତ୍ର ବିନା ଗରିବ ବିଚରା
ଥରି ଉଠେ ସହଜରେ
ଶୀତର ପ୍ରକୋପ ଗରିବ ପକ୍ଷରେ
ପ୍ରାୟତଃ ଅଟେ ଅସହ୍ୟ
ବାସ ଆଉ ଶୀତ-ବସ୍ତ୍ର ବିନା ଶୀତ
କରୁଣ ସଙ୍ଗୀତ ପ୍ରାୟ