ତୁମେ ରାମ ତୁମେ ଶ୍ୟାମ ତୁମେ ନାରାୟଣ
ତୁମେ ରାମ ତୁମେ ଶ୍ୟାମ ତୁମେ ନାରାୟଣ


ତୁମେ ନିରାକାର ପୁଣି ନାହିଁ ଆଦି ଅନ୍ତ
ତୁମେ ଭିଆଇଛ ସୃଷ୍ଟି ଏ ଜୀବ ଜଗତ
ମାନବଙ୍କୁ ଦିବ୍ୟଜ୍ଞାନ ଦେଇଛ ତ୍ୱରିତ
ମାନବଙ୍କୁ ଶ୍ରେଷ୍ଠ ଜୀବ କରିଛ ଘୋଷିତ
ଶ୍ରେଷ୍ଠ ଜୀବ ରୂପେ ଜ୍ଞାତ ଜ୍ଞାନ ହିତାହିତ
ବେଦ ବାଣୀ ଜ୍ଞାନ ରୂପେ କରିଛ ବିଦିତ
ତ୍ରେତୟାରେ ରାମ ରୂପେ ହେଲ ଆବିର୍ଭୁତ
ଦ୍ଵାପର ଯୁଗରେ କୃଷ୍ଣ ରୂପେ ହେଲ ଜାତ
ରାମ ଶ୍ୟାମ ନାରାୟଣ ରୂପରେ ପୂଜିତ
ଭାବଗ୍ରାହୀ ରୂପେ ଭକ୍ତି ଭାବେ ଆହ୍ଲାଦିତ
ଯୁଗ ପରେ ଯୁଗ ତୁମ ମହିମା ବିଖ୍ୟାତ
ପାପ ଭାରା ଉଦ୍ଧାରଣେ ହୋଇଛ ସମ୍ଭୂତ
କଳି କାଳେ ନୀଳାଚଳେ ସ୍ଵୟଂ ଜଗନ୍ନାଥ
ମାନବୀୟ ଲୀଳା ଖେଳା ହୁଏ ପ୍ରକଟିତ
ଶରଣ ରକ୍ଷଣ ଭକ୍ତ ହୃଦୟ ର ନାଥ
ତୁମେ ସତ୍ୟ,ତୁମେ ପ୍ରାଣ,ତୁମେ ମୁକ୍ତି ପଥ
ପରଂବ୍ରହ୍ମ ଦାରୁବ୍ରହ୍ମ ରୂପେ ବିରାଜିତ
ତୁମରି ଇଙ୍ଗିତେ ସର୍ବ ପ୍ରାଣୀ ଆତଯାତ
ଜଗନ୍ନାଥ ହିଁ ନାରାୟଣ ,ସ୍ତ୍ରୀ ନାରାୟଣୀ
ଯୋଗମାୟା ରୂପେ ସ୍ତ୍ରୀ,ପ୍ରବର୍ତ୍ତିକା,ଭଉଣୀ
ଭଗ୍ନୀ ସୁଭଦ୍ରା,ସ୍ତ୍ରୀ ଲକ୍ଷ୍ମୀ,ବିମଳା ପ୍ରବର୍ତ୍ତିକା
ନାରାୟଣ ନାରାୟଣୀ ଜଗନ୍ନାଥ ଏକା
ବୈଦିକ ଓ ତାନ୍ତ୍ରିକ ବିଧି ବି ଶ୍ରୀମନ୍ଦିରେ
ନାରାୟଣ ଜଗନ୍ନାଥ ରତନ ବେଦୀରେ
ଦାରୁବ୍ରହ୍ମ ଜଗନ୍ନାଥ ସ୍ବୟଂ ପରଂବ୍ରହ୍ମ
ଅପରିବର୍ତ୍ତନଶୀଳ ଅବିନାଶୀ ବ୍ରହ୍ମ
ବ୍ରହ୍ମ ଅବିନାଶୀ ନିରାକାର ବ୍ରହ୍ମ ତତ୍ତ୍ଵ
ସର୍ବ ତତ୍ତ୍ୱ ମଧ୍ୟେ ଶ୍ରେଷ୍ଠ ପୁଣି ବ୍ରହ୍ମ ତତ୍ତ୍ଵ
ସୃଷ୍ଟି ସ୍ଥିତି ପ୍ରଳୟେ ସେ' ବ୍ରହ୍ମ ପରଂବ୍ରହ୍ମ
ଭୂତ ଭବିଷ୍ୟ ବର୍ତ୍ତମାନ ସେ' ପରଂବ୍ରହ୍ମ
ସବୁ ସ୍ଥିତିରେ ସମ ନିତ୍ୟ ଆଧାର ବ୍ରହ୍ମ
ଯା' ଶକ୍ତିରେ ସର୍ବ କାର୍ଯ୍ୟକ୍ଷମ ସେହି ବ୍ରହ୍ମ
ସଗୁଣ ନିର୍ଗୁଣ ନିରାକାର ପରଂବ୍ରହ୍ମ
ଜଗନ୍ନାଥ ସ୍ଵୟଂ ପରଂବ୍ରହ୍ମ ଦାରୁବ୍ରହ୍ମ
ଜଳ ବିନ୍ଦୁ ବି ସମୁଦ୍ରର ଅଂଶ ବିଶେଷ
ସମଗ୍ର ବ୍ରହ୍ମ ଅଭିନ୍ନ ଆକ୍ଷରିକ ଅଂଶ
ଦାରୁ ମୂର୍ତ୍ତି ସୁକ୍ଷ୍ମତ୍ତମ ଭକ୍ତଙ୍କୁ ଅଦୃଶ୍ୟ
ସ୍ଥୂଳ ଓ ଦୃଶ୍ୟ ଧାରେ ବ୍ରହ୍ମ ପରିପ୍ରକାଶ
ବିଗ୍ରହରେ ବ୍ରହ୍ମ ସତ୍ୟ ଅକ୍ଷର ପୁରୁଷ
ଅପରିବର୍ତ୍ତନଶୀଳ ପରମ ପୁରୁଷ
ବଳଭଦ୍ର ହିଁ ପୁରୁଷ,ସୁଭଦ୍ରା ପ୍ରକୃତି
ଜଗନ୍ନାଥ ହିଁ ପରମ ପୁରୁଷ ସମ୍ପ୍ରତି
ସଦା କ୍ଷର-ଅକ୍ଷର ପୁରୁଷ ସମନ୍ଵୟରେ
ତହିଁ ସମ୍ଭୂତ ହିଁ ପରମାତ୍ମା ଅଦୃଶ୍ୟରେ
ଦାରୁବ୍ରହ୍ମ ଚୈତନ୍ୟ-ମୟ ସଚ୍ଚିଦାନନ୍ଦ
ଭକ୍ତି ନିଷ୍ଠା ବଳେ ଭବ୍ୟ ଦର୍ଶନେ ଆନନ୍ଦ
ଶ୍ରୀକ୍ଷେତ୍ରରେ ପଦ୍ମ,ତହିଁ ରତ୍ନ ସିଂହାସନ
ରତ୍ନ ସିଂହାସନେ ବିଗ୍ରହ ବିରାଜମାନ
ରହସ୍ୟ ଜଡ଼ିତ ଜଗନ୍ନାଥ ଆଢ଼ୁଆଳେ
ନାରାୟଣ ଜଗନ୍ନାଥ ଜ୍ଞାତ ଜ୍ଞାନ ବଳେ
ସୃଷ୍ଟି ଆଦିମୂଳ ପୁଣି ନାହିଁ ଆଦି ଅନ୍ତ
ଚରଣାଶ୍ରିତରେ ଆପେ ପ୍ରାପ୍ତ ମୁକ୍ତି ପଥ
କିମ୍ପା ପ୍ରଭୁ ଦାରୁ ବ୍ରହ୍ମ ହୋଇ ବିରାଜିତ
ରତ୍ନ ସିଂହାସନେ ବସି ଦେଖୁଅଛ ମାତ୍ର
ତୁମେ ପରା ମହାବାହୁ ଅନାଥର ନାଥ
ଅଧା ଗଢା ଦିଅଁ ହୋଇ କିମ୍ପା ବିରାଜିତ
ରାମ କୃଷ୍ଣ ଅବତାରେ ହେଲ ଦେହବନ୍ତ
ଏ କଳି କାଳରେ କିମ୍ପା ହେଲ ଦାରୁଭୂତ
ବଡ ଦେଉଳରେ ବଡ ଠାକୁର କଥିତ
ବଡ ଦାଣ୍ଡେ ଦେଖି ହୁଏ ତୁମ ବଡ ନେତ
ବଡ ପ୍ରଭୁ ଥାଉ ଥାଉ ଆଜି ମୁଁ ଅନାଥ
ତଥାପି ଶ୍ରୀଚରଣ ରେ ହୋଇଛି ଆଶ୍ରିତ
ଲୋଭ ମୋହ ମାୟା ସହ ମନ କବଳିତ
ଭୌତିକ ଲାଳସା ଥାଇ ହୃଦ କଳୁଷିତ
ତୁମ ପାଦ ପଦ୍ମେ କରୁଅଛି ପ୍ରଣିପାତ
କୃପା କରି ଭବ ବନ୍ଧନ ରୁ କର ମୁକ୍ତ