ପ୍ରଥମ ପ୍ରଣାମ ଘେନ ନୀଳାଚଳ ନାଥ
ପ୍ରଥମ ପ୍ରଣାମ ଘେନ ନୀଳାଚଳ ନାଥ
ପାପୀର ପ୍ରଥମ ପ୍ରଣାମ ଘେନ ହେ ନାଥ
ପରଂବ୍ରହ୍ମ ପ୍ରଭୁ ଆପେ ନୀଳାଚଳ ନାଥ
ପବିତ୍ର ସେ' ବେଦ ଭାସିଲା ପ୍ରଳୟ ଜଳେ
ପ୍ରକଟ ହୋଇଲ ମୀନ ଅବତାର ବଳେ
ପବିତ୍ର ବେଦର ଉଦ୍ଧାର ହେଲା ସମ୍ଭବ
ପୁରାଣ ପୃଷ୍ଠାରେ ପ୍ରଭୁଙ୍କ ନାମେ ଗୌରବ
ପାଷାଣୀ ଅହଲ୍ୟା ଥିଲା ପଡ଼ି ପଥ ପ୍ରାନ୍ତେ
ପ୍ରାର୍ଥନା ପୂର୍ବକ ମୁକ୍ତି ଚାହୁଁ ଥିଲା ଚିତ୍ତେ
ପଡ଼ିଲା ସେ ପାଦ ଘୁଞ୍ଚି ଗଲା ଆପେ ଶାପ
ପାଦର ସ୍ପର୍ଶରେ ରୂପ ପୁଣି ଅପରୂପ
ପରଂବ୍ରହ୍ମ ପୁଣି ଦାରୁବ୍ରହ୍ମ ଶ୍ରୀକ୍ଷେତ୍ରରେ
ପରମ ପ୍ରେମିକ ମାନବୀୟ ଲୀଳା ଧାରେ
ପାଦ ପାଣି ବିନା ପାବଛେ ପହଣ୍ଡି ଧାରେ
ପଣ୍ଡା ପଢ଼ିଆରି ସହ ଯାତ୍ରା ହର୍ଷ ଭରେ
ପଙ୍କଜ ନେତ୍ରରେ ପଲକ ପଡୁନି ସତ
ପହଡ଼ ବିଧାନ ହୁଏ ପୁଣି ସୁନିଶ୍ଚିତ
ପ୍ରଳୟ କାଳରୁ ପାଳନ କର୍ତ୍ତା ଭାବରେ
ପଦ ଚିହ୍ନ ପ୍ରାୟ ରହିଛି ସବୁ ଯୁଗରେ
ପାପ ଓ ପାପୀର ପଥ ଦର୍ଶକ ରୂପରେ
ପୁଣ୍ୟ ଶ୍ରୀକ୍ଷେତ୍ରରେ ବିରାଜିତ ଶ୍ରୀମନ୍ଦିରେ
ପତିତପାବନ ବାନା ଉଡ଼ୁଛି ଉଚ୍ଚରେ
ପତିତ ଉଦ୍ଧାର ପତିତପାବନ ଧାରେ
ପ୍ରତି ମୁହୂର୍ତ୍ତରେ ଅହେତୁକ ଭୟ ପ୍ରାୟ
ପ୍ରାଣ ରକ୍ଷା
ସ୍ଥିତି ପୁଣି ଅତି ଭୟାବହ
ପାପ ପୁଣ୍ୟ କଣ ଜାଣିବା ଆଗରୁ ନିଜେ
ପାପ ପଥେ ବୁଡି ପାପୀ ହୋଇଛି ସହଜେ
ପଥ ପ୍ରଦର୍ଶକ ତୁମେ ହିଁ ପ୍ରଭୁ କେବଳ
ପଥ ହୁଡ଼ି ଜ୍ଞାତ ପାପର ମାତ୍ରା ପ୍ରବଳ
ପ୍ରାୟଶ୍ଚିତ ପାଇଁ ପାଦେ ପଶିଛି ଶରଣ
ପ୍ରଶମିତ ପାଇଁ ଅଶ୍ରୁ ଢାଳି ନିବେଦନ
ପ୍ରାଣ କିମ୍ପା ପ୍ରାୟ ହେଉଛି ଅସ୍ଥିର ନିତି
ପାଗଳ ପରାୟ ପ୍ରଳାପ କରେ ସମ୍ପ୍ରତି
ପୃଥିବୀ ପୃଷ୍ଠରେ ପାପୀଙ୍କ ପ୍ରଳାପ ପ୍ରାୟ
ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବି ଭୟ
ପତିତ ଅଧମ ପାପୀ ଠାରୁ ମୁହିଁ ହୀନ
ପ୍ରାୟଶ୍ଚିତ ଆଶା ଧାରେ ଅଛି ଏ ଜୀବନ
ପ୍ରାଣ ତନ ମନ ସବୁ କରୁଛି ଅର୍ପଣ
ପାପୀର ପ୍ରାର୍ଥନା କରନ୍ତୁ ବାରେ ଶ୍ରବଣ
ପାପ ନେତ୍ର ମୋର ଖୋଜେ ତୁମ ଦରଶନ
ପାଦ ପଦ୍ମ ତଳେ ରଖ ମହାପ୍ରଭୁ ଥରେ
ପତିତ ପରାୟ ବଞ୍ଚିଛି ଏହି ସଂସାରେ
ପରଂବ୍ରହ୍ମ ପ୍ରଭୁ ପୁଣି ନୀଳାଚଳ ନାଥ
ପୁଣ୍ୟ ଶ୍ରୀକ୍ଷେତ୍ରରେ ଆପେ ସ୍ଵୟଂ ଜଗନ୍ନାଥ
ପାଞ୍ଚ ମନ ପୁଣି ପଚିଶ ପ୍ରକୃତି ଧାରେ
ପାପ ପଥେ ପଡ଼ି ପାପୀ ମୁଁହି ଏ ସଂସାରେ
ପାପୀ ରୂପେ ହୁଏ ଜୀବନ ଅତିବାହିତ
ପାପୀର ପ୍ରଥମ ପ୍ରଣାମ ହେଉ ଗୃହୀତ