କେବେ ମୋତେ ଖୋଜିବନି
କେବେ ମୋତେ ଖୋଜିବନି


ସ୍ୱପ୍ନ ଯାହା ଦେଖିଥିଲି
ହଜି ଗଲା ଗ୍ରହ ଚଳନର କୁଟ ଚକ୍ରାନ୍ତରେ,
ଏବେ ଯାହା କିଛି ପ୍ରାପ୍ତ ହେଲି
ତାକୁ ହିଁ ଦେଖୁଛି ନିତି ମୋର ମିଛ ସପନରେ ।
ଗୋଟି ଗୋଟି ଆଶାବାଡି
ଭାଙ୍ଗିଯାଏ ଚାଲୁ ଚାଲୁ ଲେଙ୍ଗଡ଼ା ପାଦରେ,
ଏବେ ବିନା କିଛି ସାହାରାରେ
ଚାଲିବା ପଡ଼ି ଗଲାଣି ମୋର ନିତି ଅଭ୍ୟାସରେ ।
ଅନ୍ଧାର ସବୁ ରୁଷିଯାନ୍ତି
ଅଗଣାରେ ଝୁଲିଥବା ଆଲୋକମାଳାର ରୋଷଣୀ ଚମକରେ,
ବେଶ ଆପଣାର ହୋଇ
କିଛି ଅନ୍ଧାର ଆଉଁସି ଦିଅନ୍ତି ଦୁର୍ବଳ ଓ ନିରୋଳା ମୁହୂର୍ତ୍ତରେ ।
ହାରିବାର ହରଣ ଗୁଣନ
ବହୁବାର ଭୁଲ ହୁଏ ଲେଖୁ ଲେଖୁ ସାଗର ବାଲିରେ,
କିନ୍ତୁ ସବୁ ଧୋଇଗଲା ପରେ
ନ ଥାଏ ଜିତିବାର ଅହଂ ଦାଗ ସେ ଲୁଣିଆ ବେଳାଭୂମିରେ ।
କେବେ ଯଦି ମୁଁ ହଜିଯାଏ
ଏମିତି ଚାଲୁ ଚାଲୁ କାଠଯୋଡ଼ିର ପଥର ବନ୍ଧରେ,
ଖୋଜିବନି ନଦୀଗର୍ଭରେ
ମୁଁ ବସିଥିବି ଆଢୁଆଳରେ କେଉଁ ଏକ ତୁଠ ପାହାଚରେ ।