ପ୍ରେମ ପଥେ ବିରହ ସଙ୍ଗୀତ
ପ୍ରେମ ପଥେ ବିରହ ସଙ୍ଗୀତ


ବିରହ ଜଡ଼ିତ କାବ୍ୟ କବିତା ଅଥବା ଗୀତ
ଶ୍ରୀରାଧା ଚରିତ୍ର ବିନା କଳ୍ପନା ଧୃଷ୍ଟତା ମାତ୍ର
ପ୍ରେମର ସଜ୍ଞା ସାଥେ ବିରହ ବେଦନା ଜଡ଼ିତ
ରାଧାକୃଷ୍ଣ ପ୍ରେମ କାହାଣୀରେ ହିଁ ପରିଲକ୍ଷିତ
ଶ୍ୟାମଘନ ବିନା ଘନ କାଳ ଗୋପରେ ଚର୍ଚ୍ଚିତ
ହେ କୃଷ୍ଣ,ହେ କହ୍ନାଇ ଡାକ ବି ଶୁଭିଲା ତ୍ୱରିତ
ହୃଦ ସ୍ପନ୍ଦନରେ କୃଷ୍ଣ ନାମ ହେଲା ସମାହିତ
ବିରହର ପରିଭାଷା ଆପେ ହେଲା ପ୍ରକଟିତ
ପ୍ରେମ ଧାରା ସଦା ରାଧା ହୃଦେ ଥିଲା ପ୍ରବାହିତ
ବିହ୍ଵଳିତ କାହ୍ନା ସେହି ପ୍ରେମ ଧାରାରେ ପ୍ଲାବିତ
ପ୍ରେମୀ ହୃଦେ ବିରହ ମୂର୍ଚ୍ଛନା ସହଜେ ଧ୍ୱନିତ
ପ୍ରେମରେ ମିଳନ କ୍ରମେ ଦୁଇ ଆତ୍ମା ସମ୍ମିଳିତ
ଯଦିଓ ଶରୀର ଅଲଗା ,ମାତ୍ର ଆତ୍ମାରେ ଏକତ୍ଵ
ମନ ଖୋଜେ ପ୍ରେମୀ ମନ ପ୍ରାୟ ପ୍ରତି ଟି ମୁହୁର୍ତ୍ତ
ପ୍ରୀତି ଡୋରି ବନ୍ଧନରେ ଯେବେ ପ୍ରେମ ବିଜଡ଼ିତ
ହୃଦ ସ୍ପନ୍ଦନରେ ସ୍ମୃତି ଆପେ ଆପେ ଉଜ୍ଜୀବିତ
ଶ୍ୟାମ ବିନା କେଳି କୁଞ୍ଜେ ରାଧା ବିରହିଣୀ
ଭାବ ପ୍ରବଣତା ଧାରେ ମିଳନ ବେଳା ଉଜାଣୀ
କାହିଁ ଗଲେ ଶ୍ୟାମଘନ ଏ ଘନ କାଳ ଦାରୁଣ
ବୁଝୁ ନାହିଁ ହୃଦୟର ପ୍ରତି କୋଣ ଅନୁକୋଣ
କିଏ ବା ଜାଣିଛି ଦୁଇ ଆତ୍ମା ମିଳନର କଥା
ହୃଦ ଭାଷା ବୁଝି ଥିବା ବନ୍ଧୁ ଲାଗି ଆଜି ବ୍ୟଥା
ସଜଳ ନୟନ ଶ୍ୟାମ ପ୍ରତୀକ୍ଷାରେ ହିଁ ସଜାଗ
ହୃଦେ ଉଜ୍ଜୀବିତ କୁଞ୍ଜବନେ ରାସ ର ଆବେଗ
ନାହିଁ ରାଧା ରାଧା ଡାକ,ତଥାପି ଯମୁନା କୂଳେ
ପାଖେ କାହ୍ନା ଅନୁଭବ ପ୍ରାୟ ସେ' କଦମ୍ବ ମୂଳେ
କୁଞ୍ଜବନେ ନୀରବତା, ଶୁଭୁନି ବଇଁଶୀ ସ୍ୱର
ମୟୂର ଚୁଳିଆ କିମ୍ପା ଛାଡ଼ି ଗଲା ଗୋପ ପ
ୁର
ଝୁରୁଛି ସେ ରାଧା ପୁଣି ଚିନ୍ତା ଚେତନାରେ ଶ୍ୟାମ
ଶ୍ୟାମ ଦୂର୍ବାଦଳ ପୁଣି ଠାଣି ବାଣୀ ଅନୁପମ
ନୟନରେ ଭରା ଅଶ୍ରୁ ,ଓଠ ଧାରେ ନାହିଁ ହସ
ଶ୍ୟାମ ବିନା ବ୍ରଜ ଭୂମି ପ୍ରାୟ ଶୁନ୍ୟ ନିରଳସ !
କାହ୍ନା କଥା ଭାଳି ହୃଦେ, ରାଧା କହେ ହୃଦ କଥା
ଶ୍ୟାମ ରୂପ ,ରଙ୍ଗ,ମୋହ,ତ୍ରିଭଙ୍ଗୀ ଚାହାଣୀ ଚିନ୍ତା
ବିରହର ଦାବାନଳେ ଏକାକୀ ଘନ କାଳରେ
ହୃଦେ ସମ୍ଭାବନା ଆପେ ଉଜ୍ଜୀବିତ ଉଜାଗରେ
ଦୂର ଦେଶୀ ବନ୍ଧୁ କାହିଁ ,ଡାକୁ ଥିଲା ବଂଶୀ ସ୍ୱରେ
ହୃଦେ ଥିଲା ପ୍ରେମ ଭାବ,ମୃଗ ତୃଷ୍ଣା ଭାବନାରେ
ପରମ ଓ ଜୀବ ଦୁହେଁ ନିଃସର୍ତ୍ତ ରେ ସମର୍ପଣ
ବାଧା ବିଘ୍ନ ଥିବା ସତ୍ତ୍ବେ,ରାଧା ଚାହେଁ ଆଲିଙ୍ଗନ
ଶ୍ରୀରାଧା ସମ ଶ୍ରୀରାମ ବିରହ ବେଦନା ଧାରେ
ସୀତାଙ୍କ ବିହୁନେ ପ୍ରାୟ ଶୋକାକୁଳ ସର୍ବୋପରି
ନର ରୂପେ ନାରାୟଣ ତ୍ରେତା,ଦ୍ୱାପର ଯୁଗରେ
ବିରହର ସଂଜ୍ଞା ଚିତ୍ରିତ ହୋଇଛି ଏ ମର୍ତ୍ତ୍ୟରେ
ପ୍ରେମରେ ମିଳନ ପରେ ସ୍ୱର୍ଗୀୟ ସୁଖ ଆନନ୍ଦ
ବିଚ୍ଛେଦ ପରେ ବିରହ ଯନ୍ତ୍ରଣା ଅତି ଦୁଃଖଦ
ବିରହର ଅନ୍ତଃସ୍ୱର କିମ୍ପା ବୁଝେନି ପ୍ରେମିକ
କେମିତି ବୁଝେଇ ହେବ,କେତେ ଯନ୍ତ୍ରଣା ଦାୟକ !!
ପ୍ରେମରେ ମିଳନ,ବିରହରେ ଜର୍ଜରିତ ପ୍ରାଣ
ଝୁରି ହେବା ପ୍ରାୟ ସାର,କ୍ରମେ ତନ ମନ କ୍ଷୀଣ
ପ୍ରେମ ସତ୍ୟ ଚିରନ୍ତନ ,ପ୍ରେମ ଭାବର ପ୍ରତୀକ
ବିରହର ଜ୍ଵାଳା କାଳ ରୂପୀ ଓ ମରଣାନ୍ତକ
ପ୍ରତି ପ୍ରେମିକ ମନରେ ପ୍ରେମ ଉଜ୍ଜୀବିତ ରହୁ
ବିରହ ବେଦନା ପ୍ରତି ସମବେଦନା ବି ଥାଉ
ବିରହ ସଙ୍ଗୀତ ପ୍ରେମ ଧାରେ ପ୍ରେମର ରାଗିଣୀ
କେତେ ଯେ ପରାକାଷ୍ଠା ପ୍ରେମର,ବୋଧେ ହୁଏ ଜାଣି !!!!