ଚବିଶ ଟି ତତ୍ତ୍ଵାତ୍ମକ ତତ୍ତ୍ଵ
ଚବିଶ ଟି ତତ୍ତ୍ଵାତ୍ମକ ତତ୍ତ୍ଵ
କ୍ରମାଗତ ଜୀବନର ଚଲା ପଥ
ଚାଲିବାକୁ ହେବ ପ୍ରାୟ
ଅସରନ୍ତି ପଥ ଜୀବନ ଯାତ୍ରାରେ
ରଖିବାକୁ ହେବ ଲୟ
ଦରକାରୀ ବସ୍ତୁ ସ୍ଥାନିତ ଉଦ୍ଦେଶ୍ୟେ
କାନ୍ଥ ମଧ୍ୟେ ଠଣା ସମ
ମନ ମଧ୍ୟେ ଠଣା,ଠଣା ମଧ୍ୟେ ଜ୍ଞାନ
ଗୁରୁ ଜ୍ଞାନ ଭବ୍ୟ କାମ୍ୟ
ଚବିଶ ଟି ତତ୍ତ୍ଵାତ୍ମକ ତତ୍ତ୍ଵ ବଳେ
ଜୀବ ଜଗତର ସୃଷ୍ଟି
ପ୍ରତି ଜୀବ ମଧ୍ୟେ ତତ୍ତ୍ଵ ବିଦ୍ୟମାନ
ସଂପୂର୍ଣ୍ଣ ଚବିଶ ଗୋଟି
ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେନ୍ଦ୍ରିୟ
ତିନି ଗୁଣ ତିନି ତମ
ପଞ୍ଚ ମହାଭୂତ ପାଞ୍ଚଟି ତନ୍ମାତ୍ରା
ଶରୀରରେ କାର୍ଯ୍ୟକ୍ଷମ ।
ସର୍ବ ପ୍ରଥମରେ ସେ ମହତ୍ ବ୍ରହ୍ମ
ମହତ୍ ବୁଦ୍ଧି ତା' ପରେ
ମହତ୍ ବୁଦ୍ଧି ରୁ ଅହଂମ୍ ଉତ୍ପତ୍ତି
ତିନି ଗୁଣ ତନ୍ମଧ୍ୟରେ
ସତ୍ତ୍ଵ ରଜୋ ତମୋ ଅଟେ ତିନି ଗୁଣ
ତିନି ଗୁଣ ଠାରୁ ତତ୍ତ୍ଵ
ପଞ୍ଚ ତତ୍ତ୍ଵ ଅବା ପଞ୍ଚ ମହାଭୂତ
ଶରୀରରେ ଅବସ୍ଥିତ
ପୃଥିବୀ ଜଳ ତେଜ ବାୟୁ ଆକାଶ
ପଞ୍ଚ ତତ୍ତ୍ଵ ରୂପେ ଗଣା
ଶବ୍ଦ ସ୍ପର୍ଶ ରୂପ ରସ ଆଉ ଗନ୍ଧ
ତନ୍ମାତ୍ରା ଭାବରେ ଜଣା
ପଞ୍ଚ ତତ୍ତ୍ଵର ରହସ୍ୟ ମଧ୍ୟରୁ
ପ୍ରଥମେ ଆକାଶ ତତ୍ତ୍ଵ
ଶବ୍ଦ ଅଟେ ଆକାଶର ସୁକ୍ଷ୍ମ ତତ୍ତ୍ଵ
କର୍ଣ୍ଣ ସହିତ ଜଡ଼ିତ
ଆକାଶରୁ ବାୟୁ ହୁଅଇ ସମ୍ଭୂତ
ସେଥିରେ ଦୁଇଟି ଗୁଣ
ଧ୍ଵନି ଆଉ ସ୍ପର୍ଶ ବାୟୁ ପ୍ରବାହରେ
ଅନୁଭବ ହିଁ ନିଦାନ
ଆକାଶକୁ ଦେଖି ହୁଏ ସହଜରେ
ମାତ୍ର ନୁହେଁ ଅନୁଭବ
ସ୍ପର୍ଶ ପାଇ ପ୍ରାଣୀ ନିଜ ଶରୀରରେ
କରିଥାଏ ଅନୁଭବ
ଆକାଶ ଓ ବାୟୁ ମିଶ୍ରଣରେ ଅଗ୍ନି
ତତ୍ତ୍ଵ ହୋଇଛି ଅବଶ୍ୟ
ଶବ୍ଦ ସ୍ପର୍ଶ ରୂପ ସହ ତିନି ଗୁଣ
ନେତ୍ର ବଳେ ଅଗ୍ନି ଦୃଶ୍ୟ
ଆକାଶ ବାୟୁ ଓ ଅଗ୍ନି ସମିଶ୍ରଣେ
ଜଳ ତତ୍ତ୍ଵର ଉତ୍ପତ୍ତି
ଶବ୍ଦ ସ୍ପର୍ଶ ରୂପ ସବୁ ମିଶି ଅଛି
ସ୍ପର୍ଶ-ଦର୍ଶନ ସମ୍ପ୍ରତି
ଭିନ୍ନ ଏକ ଗୁଣ ଜଳରେ ନିହିତ
ସ୍ଵାଦ ରୂପେ ପ୍ରାଣୀ ଜଣେ
ନାହିଁ ସ୍ଵାଦ ଆକାଶ ବାୟୁ ଅଗ୍ନିର
ଜଳ ସ୍ଵାଦ ଜିହ୍ୱା ଜାଣେ
ଆକାଶ ବାୟୁ ଅଗ୍ନି ଓ ଜଳ ତତ୍ତ୍ଵ
ମିଶ୍ରିତ ଭାବେ ପୃଥିବୀ
ପୃଥିବୀର ବିଶେଷତ୍ଵ ଗୁଣ ଭାବେ
ଗନ୍ଧ ସହିତ ପୃଥିବୀ
ଗନ୍ଧ ଅଟେ ସୁକ୍ଷ୍ମ ତତ୍ତ୍ଵ ପୃଥିବୀର
ନାସିକା କରେ ଆଘ୍ରାଣ
ପଞ୍ଚ ସୁକ୍ଷ୍ମ ତତ୍ତ୍ଵ ପଞ୍ଚ ତତ୍ତ୍ଵ ଠାରୁ
ଇନ୍ଦ୍ରିୟ କରେ ଗ୍ରହଣ
ପଞ୍ଚ ତତ୍ତ୍ଵ ବଳେ ନବ ଜୀବନର
ଶକ୍ତି ଅଛି ଶରୀରରେ
ମାଟିର ଗୁଣ ଓ ଅଗ୍ନି ତେଜ ବଳେ
ଜୀବନ ଯାତ୍ରା ଅଚିରେ
ବାୟୁର ପ୍ରଭାବ ନିଃଶ୍ୱାସ ପ୍ରଶ୍ୱାସେ
କ୍ଷଣ ଭଙ୍ଗୁର ଜୀବନ
ଜଳ ହିଁ ଜୀବନ ଜଳ ବିନିଯୋଗେ
ସୃଷ୍ଟି ରହିଛି ଅକ୍ଷୁର୍ଣ୍ଣ
ସମଗ୍ର ସଂସାର ତତ୍ତ୍ଵ ରେ ଗଠିତ
ବୁଝି ତତ୍ତ୍ଵର ଗୁରୁତ୍ଵ
ସମ୍ମାନ ସହିତ ପୋଷଣ ବିଧେୟ
ପଞ୍ଚ ତତ୍ତ୍ଵର ମହତ୍ତ୍ଵ
ପ୍ରକୃତି କୋଳରେ ଜଡ ଓ ଚେତନ
ଶିକ୍ଷାର ଆଧାର ସର୍ବେ
ପ୍ରତି ଅଣୁ ପରମାଣୁ ନିଜ ଗୁଣ
ବିସ୍ତାରି ଅଛନ୍ତି ଭବେ
ପ୍ରବାହିତ ଜଳ ସ୍ରୋତ ହେଉ ଅବା
ଶାନ୍ତ ସରଳ ପ୍ରକୃତି
ଜ୍ଞାନ ଦାତା ଗୁରୁ ଅବା ସମୟର
ଟିକ୍-ଟିକ୍ ଧିର ଗତି
ଜ୍ଞାନ ଶିକ୍ଷା ଅର୍ଥେ ସ୍ଵଂୟ ଅବଧୂତ
ଭେଟିଲେ ଚବିଶ ଗୁରୁ
ଜ୍ଞାନ ଆହରଣ ପାଇଁ ଉପଯୁକ୍ତ
କ୍ଷେତ୍ର ପ୍ରକୃତି କୋଳରୁ
ଜ୍ଞାନ ଶିକ୍ଷା ପଥେ ଅବଧୂତ ଆପେ
ଭେଟିଲେ ଚବିଶ ଗୁରୁ
ଚବିଶ ଆଙ୍ଗୁଳ ଠଣା ଜ୍ଞାନ ଶିକ୍ଷା
ପ୍ରାପ୍ତ ପ୍ରକୃତି କୋଳରୁ
ଚବିଶ ଆଙ୍ଗୁଳରେ ଠଣା ପ୍ରାୟ
ଚବିଶ ତତ୍ତ୍ଵ ଧାରାରେ
ଜୀବ ଜଗତର ଜୀବନର ପଥ
ଅନୁମେୟ ସହଜରେ
