ଶୀତ ବେଶ
ଶୀତ ବେଶ
ଓଢଣୀ ଷଷ୍ଠୀରୁ ଜଗନ୍ନାଥଙ୍କର
ଘୋଡ଼ଲାଗି ବେଶ ହୁଏ ।
ଶୀତ ବସନେ ପ୍ରଭୁଙ୍କର ଏ ବେଶ
ଭକତ ମାନସ ମୋହେ ।୧।
ଘୋଡ କୁହାଯାଏ ଶୀତ ବସନକୁ
ମଖମଲ ସୁତା କନା ।
ଏଥିରେ ତିଆରି ହୋଇଥାଏ ଘୋଡ
ସୁନ୍ଦର ଦିଶଇ ସିନା ।୨।
ଶ୍ରୀ ପଞ୍ଚମୀ ଯାଏଁ ଲାଗି ହୋଇଥାଏ
ଭିନ୍ନ ଭିନ୍ନ ରଙ୍ଗ ଘୋଡ ।
ରବିବାର ଲାଲ କଳାଛିଟ ମିଶା
ସୋମବାର ଶୁକ୍ଳ ଘୋଡ।୩।
ପଞ୍ଚରଙ୍ଗ ମିଶା ବାରପାଟିଆ ଘୋଡ
ଲାଗେ ମଙ୍ଗଳବାରେ ।
ବୁଧବାର ଦିନ ନୀଳରଙ୍ଗ ହଳଦୀ
ରଙ୍ଗ ଗୁରୁବାରରେ ।୪।
ଶୁକ୍ରବାର ଦିନ ଶୁକ୍ଲ ରଙ୍ଗ ଶନି
ବାରରେ କଳା ରଙ୍ଗର ।
ଘୋଡ ହୁଏ ଲାଗି ଲାଗିହୁଏ
ଆଠ ମୂର୍ତ୍ତି ସୁନା ଅଳଙ୍କାର । ୫।
ତ୍ରିଶାଖା ଦୁଇଟି କୁଣ୍ଡଳ ଚାରୋଟି
ତଡ଼ଗୀ ଦୁଇଟି ଲାଗେ ।
ବେନି ଭାଇ ବେଶ ହୁଅନ୍ତି ଏଥିରେ
ଭକତଙ୍କ ଅନୁରାଗେ ।୬।
ଦ୍ୱିପ୍ରହର ଧୂୂପ ସମୟ ହୋଇଲେ
ନରହଇ ଏହି ବେଶ ।
ଘୋଡଲାଗି ବେଳେ ସିଂହାସନ ତଳେ
ପୂଜା ହେଉଥାଏ ଶେଷ ।୭।
ଶ୍ରୀ ପଞ୍ଚମୀ ଠାରୁ ଫଗୁଦଶମୀର
ଦିିନ ଯାଏଁ ଦିଅଁମାନେ ।
ଠିଆ ଘୋଡ଼ ପରିଧାନ କରିିଥାନ୍ତି
ଏକଥା କିଏ ନଜାଣେ ।୮।
ଜାମାଲାଗି ବେଶ କହନ୍ତି ଏହାକୁ
ତିରିଶି ମୂରତି ସୁନା ।
ଅଳଙ୍କାର କରିଥାନ୍ତି ପରିଧାନ
ବିଚିତ୍ର ଦିଶନ୍ତି କିନା ।୯।
ଶ୍ରୀ ଅଙ୍ଗ ସମ୍ପୂର୍ଣ୍ଣ ଘୋଡାଇ ନହୁଏ
କେବେହେଲେ ଏ ବେଶରେ ।
ମାନବୀୟ ଲୀଳାରତ ଜଗନ୍ନାଥ
ବେଶ ଶୀତ ରକ୍ଷା କରେ ।୧୦।
