ଶିବ ମହିମା
ଶିବ ମହିମା
ବେଙ୍ଗ ଡାକ ଦେଲା ଶ୍ରାବଣ ଆସିଲା
ସାଥିରେ ବରଷା ଘେନି
ଦେଖି ଚଉପାଶ ସବୁଜିମା ବେଶ
ଖୁସିରେ ହସେ ଧରଣୀ ।
ଖାଲି ଖୁସିପରା ନୁହେଁ ବସୁନ୍ଧରା
ଖୁସି କାଉଡ଼ିଙ୍କ ମନ
ପାଣି ଭାର ନେଇ ଯିବେ ସାଥୀ ହୋଇ
ପ୍ରଭୁଙ୍କୁ କରିଣ ଧ୍ୟାନ ।
ଯାଆନ୍ତି ଆଶାରେ କାଉଡ଼ି ବେଶରେ
ଆବାଳ ବୃଦ୍ଧ ବନିତା
ଢାଳି ସୋମବାରେ ଜଳ ଶିବ ଶିରେ
ଜଣାନ୍ତି ମନର କଥା ।
ସୃଷ୍ଟି ରକ୍ଷାପାଇଁ ଶିବ ବିଷ ପିଇ
ନୀଳକଣ୍ଠ ବୋଲାଇଲେ
ଦୁଃଖୀ ଓଠେ ହସ ଫୁଟେ ବାର ମାସ
ଶଙ୍କର ସୁଦୟା କଲେ ।
ଶିବ ମହାଯୋଗୀ ଶିବ ମହାତ୍ୟାଗୀ
ମହାଦେବ ପୁଣି ସିଏ
ସର୍ବଶ୍ରେଷ୍ଠ ସେହି ତାଙ୍କ ବିନା କେହି
ମହାପଦବାଚ୍ଯ ନୁହେଁ ।
ନିଷ୍ଠା ସହ ରହି ଶିବ ଗୁଣ ଗାଇ
ଯାଅ ବେଗେ ଭାର ନେଇ
ପ୍ରଭୁ ମହାଦେବ ସଭିଙ୍କ ଅଭାବ
ନିମିଷେ ଦେବେ ଦୂରେଇ ।
