ଶେଷ ନିଃଶ୍ଵାସ
ଶେଷ ନିଃଶ୍ଵାସ
ନିର୍ବାଣ ଅପେକ୍ଷିତ ପିଣ୍ଡ
ଯେବେ ବାରି ନିଏ
ଶେଷ ନିଃଶ୍ଵାସର ଆଗମନ
ନିଜକୁ ହାଲକା କରିଦେଇ ଏକ ଦୀର୍ଘନିଃଶ୍ଵାସର
ହାବୁକାଏ ପବନରେ ଚାପି ଧରେ
ତା' ଉଛୁଳା ଆବେଗକୁ।
ଓଃ! ଶେଷରେ ଏ ଛଳନା
କୂଟୀଳତାର ଜଉଘରର ମୁଦ ବି ଫିଟି ପାରେ।
ଅତୀତର ଦସ୍ତାବିଜକୁ ଖୋଲି
ବିତିଥିବା କିଛି ତନ୍ଦ୍ରାହୀନ ରଜନୀରେ
ନିଗିଡିଥିବା ଲୁହଧାରକୁ ତଉଲ କରି
ହୃଦୟଙ୍ଗମ କରିଥିଲା
ବିଶ୍ଵାସକୁ ଆବୋରି ଯେବେ ସିଏ
ଭାବିଥିଲା ଉଆଁସୀ ତମସାରେ ଜହ୍ନକୁ ଦେଖିବ
ବହଳ ଅନ୍ଧକାରକୁ ସନ୍ତର୍ପଣରେ ଦୂରେଇ
ଜହ୍ନ ଜୋଛନାର ଆଲୋକରେ ଜୀବନକୁ
ଆଲୋକିତ କରିବ।
ତା'ର ଅବଧାବିତ ଆଶା ବିଶ୍ଵାସ
ଛଳନାର ନିଆଁରେ ଛଟପଟ ହେଉଥିଲା।
ମିଛର ଏକ ଆସ୍ତରଣ ତା'କୁ
ରସାତଳକୁ ଠେଲି ଦେଇଥିଲା।
ହେଲେ ଆଜି ଏ ଶେଷ ନିଃଶ୍ଵାସ
ତା'କୁ ଆଲିଙ୍ଗନ କରି ଚିବୁକରେ
ଆଙ୍କି ଦେବାକୁ ଯାଉଛି ଏକ ଶେଷ ଚୁମ୍ବନ।

