ଶେଷ ଅଙ୍କ
ଶେଷ ଅଙ୍କ
ଆଇନା ଆଗରେ ଆଜି କାହାକୁ ଦେଖୁଛି ,
ସିଏ , ଯିଏ ଦିନେ
ଝଡ ପଛରେ ଝଡ ପରି ଦୌଡୁଥିଲା
ମୁଠାଏ ସୁଖକୁ କାନିରେ ବାନ୍ଧି ରଖୁଥିଲା
ନା
ଦୁଃଖ ସବୁକୁ ଝାଳ ପୋଛିଲା ପରି
ପୋଛି ଦେଇ ଆଗକୁ ବଢୁ ଥିଲା ଇଏ କି ସିଏ
ଯିଏ ବ୍ଯସ୍ତତା ର ମୁହୁର୍ତ୍ତ ଗୁଡିକୁ ଗଣି ପାରୁ ନ ଥିଲା
ଜଂଜାଳ ଜାଲରେ ଯିଏ ଛନ୍ଦି ହୋଇ ପଡୁଥିଲା
ଚାହିଁଲେ ବି ସେ ଜାଲରୁ ଫିଟି ପାରୁ ନ ଥିଲା
ଦୌଡୁ ଦୌଡୁ କୋଉଠି ଅଟକି ବି ପାରୁ ନ ଥିଲା
ଉଠି ପଡି ଖାଲି ଆଗକୁ ଆଗକୁ ଦୌଡି ଚାଲୁଥିଲା
ହେଲେ
ଆଜି ସେ ପାଲଟିଛି କେବଳ ବିରାମ ଚିହ୍ନ ଟିଏ
ଆଜି ସେ ଝଡ ନୁହେଁ , ଆବଦ୍ଧ ବାୟୁ ପାଲଟିଛି ସିଏ
ଇଚ୍ଛା , ଅନିଚ୍ଛା, ଆଶା, ନିରାଶା ,ସୁଖ, ଦୁଃଖ ସବୁ ଏବେ
ଯେମିତି ନିଷ୍ପ୍ରାଣ, ସ୍ପନ୍ଦନ ହୀନ, ମୂଲ୍ଯହୀନ
ଘୋଷାରି ଚାଲିଛି ସିଏ ଜଡ ବତ୍.ଶରୀର ଓ ମନକୁ
ତେବେ ଆଇନା ରେ କାହାର ଏ ପ୍ରତିବିମ୍ବ
ଓଃ , ମୁଁ ତେବେ ନିଜକୁ ନିଜେ ଦେଖୁଛି
ଆଉ ଏକ ରୂପରେ ଆଉ ଏକ ଅଧ୍ଯାୟ ରେ
ନାଟକର ଶେଷ ଅଙ୍କରେ
ଯବନିକା ପଡିନି ଏ ଯାଏ
