STORYMIRROR

Biswanath Nayak

Tragedy

3  

Biswanath Nayak

Tragedy

ଶେଷ ଅଳି

ଶେଷ ଅଳି

1 min
225

 

ମାଆ ତୁମେ ଚାଲିଗଲା ପରେ,

ମନ୍ଦିର ଶଙ୍ଖ ଧ୍ଵନିରେ,

ପୂଜକର ଓଁ କାର ନାଦରେ,

କୋକିଳ ର କୁଜନ ରେ,

ଝରଣା ର କୁଳୁକୁଳୁ ତାନେ,

ଶୁଭେ ମୋତେ ତୁମର ସେ ସ୍ନେହବୋଳା ଡାକ।  

ଶେଫାଳି ର ସୁରଭି ରେ,

ଆମ୍ବ ବଉଳ ବାସ୍ନାରେ,

ପହିଲି ବରଷା ଭିଜା ଓଦା ମାଟିର ଗନ୍ଧରେ,

ବାରୁଛି ମୁଁ ତୁମ ଦେହ ବାସ୍ନା।  

ବାରିଧାରା ଶବଦରେ,

ବାରାନିଧି ଲହରୀ ସ୍ଵରରେ,

ଅନୁଭବ କରୁଛି ମୁଁ ତୁମ ମିଠା ଗାଳି।  

ଜ୍ୟୋସ୍ନା ର ଶୀତଳତା ରେ,

ମଳୟ ର ପରଶ ରେ,

ପାଉଛି ମୁଁ ତୁମ ଅଙ୍କ ଛାୟା। 

କରିବାକୁ ଶେଷ ଅଳି,

ଗ୍ରୀଷମ ର ଉତ୍ତାପରେ,

ଆମ୍ବକଷି ଭାସୁଥିବା ତୋରାଣି କଂସାରେ,

ଖୋଜୁଛି ମୁଁ ତୁମର ଠିକଣା।  

ମୋର ଏ ଅଝଟ ରଖି,

ଫେରିଆସ ଆଉଥରେ ମାଟି ସରଗକୁ।  

ତୁମର ସେ ଶରଧା ର ଡାକ ଶୁଣିବାକୁ,

ଆସିବାକୁ ହୁଏ ଯଦି ମୋତେ,

ସରଗରୁ ମରତ ପୁରକୁ,

ତାହେଲେ ମୁଁ ଥକି ପଡିବିନି।  

ପୁଣି ଥରେ ଫେରିବାକୁ ହୁଏ ଯଦି ତୁମର ଗର୍ଭକୁ,

ଶୁଣିବାକୁ ତୁମଠାରୁ ଗାଳି,

ହସିହସି ସହିଯିବି ଜଠର ଯନ୍ତ୍ରଣା।  

ଖାଇବାକୁ ତୁମ ହାତୁ ଗୁଣ୍ଡାଏ ପଖାଳ,

ଦୁଃଖ ମୁଁ କରିବି ନାହିଁ,

ଶହେଥର ନେବା ପାଇଁ ମଣିଷ ଜନମ। 

ଚାହେଁନା ମୁହିଁ ନିର୍ବାଣ,

ଚାହେଁନା ମୁଁ ମୁକ୍ତି ପାଇବାକୁ। 

କେବଳ ମୁଁ ଚାହୁଁଛି ଏତିକି।

ଜନମେ ଜନମେ ଧୁଳିଧୂସରିଆ ହୋଇ,

ଝାଳ ସରସର ଦେହେ ଧାଉଁଥିବି ପଛେ ପଛେ,

ତୁମ ପଣତ କାନିରେ ମୁହଁ ପୋଛିବାକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy