ଶେଫାଳୀର ମନ କଥା
ଶେଫାଳୀର ମନ କଥା
ସଂଜୁଆ ସଂଜରେ ଜନମ ମୋହରି
ରାତି ଶେଷେ ଯିବି ଚାଲି,
ଜୀବନଟା ସିନା କ୍ଷଣିକ ଅଳିକ
ହସେ ଖାଲି ଖିଲି ଖିଲି । [୧]
ନାଲି ଧଳା ରଂଗେ ତନୁ ମୋ ରଂଗେଇ,
ମନ୍ଦ ମଳୟ ପରଶେ,
ଶିତୁଆ ସକାଳେ ମୃଦୁ ମୃଦୁ ବାସ
ଚହଟଇ ଚଉବାସେ। [୨]
ଦିନ ପରେ ରାତି, ରାତି ପରେ ଦିନ,
ଏତ ରୀତି ଦୁନିଆଁର
ହେଲେ ମୁଁ ଅଭାଗା ଅଭିଶପ୍ତା, କେବେ
ଦେଖିନାହିଁ ଦିବାକର । [୩]
ତଥାପିବି ସୁଖୀ, ବୁଝିଛି ଯେଣୁ ମୁଁ
ମହାମନ୍ତ୍ର ଜୀବନର,
ଏ ଧରାଧାମେ ଯେ ଜନମ ଲଭିଛି
ଜୀବନ ତାର ନଶ୍ୱର । [୪]
ଦିନ-ରାତି ଆଉ ଜନମ-ମରଣ
ବିଶ୍ୱନିୟନ୍ତାଙ୍କ ଖେଳ
ଆଗପଛ ହୋଇ ବାହୁଡିବେ ସବୁ
ପୂରିଗଲେ ତାଙ୍କ କାଳ। [୫]
ଗଂଗଶିଉଳି ମୁଁ , ଟିକି ଫୁଲଟିଏ
ଖେଦ ତ ଏତିକି ମୋର,
ଜୀବ ଥିବା ଯାଏଁ ହେଇପାରିଲିନି
ବିଭୁଙ୍କର ଗଳାହାର। [୬]
ତେବେବି ହସୁଛି ବାସ ବିତରୁଛି
ହୋଇଯିବା ଯାଏଁ ଲୀନ,
ସାର୍ଥକ ହୋଇଛି ଜନମ ମୋହରି
କ୍ଷୁଦ୍ର ହୋଇବି ମହାନ। [୭]