ଶବ୍ଦେ ଶବ୍ଦେ ସ୍ବର୍ଗୀୟ ମିଳନ
ଶବ୍ଦେ ଶବ୍ଦେ ସ୍ବର୍ଗୀୟ ମିଳନ
ହେ ବନ୍ଧୁ! କାହିଁକି ହେଲ ମୋ'ପାଇଁ କି
ସକାଳର ପହିଲି କିରଣ,
ହେଉ ହେଉ ହୋଇଗଲ, ଭଲ ହେଲା
ଈଶ୍ୱର ଯେ ପ୍ରମୁଖ କାରଣ ।
ପହିଲି କିରଣ ନୁହଁ, ଖାଲି ତୁମେ,
ତୁମେ ସନ୍ଧ୍ୟା ଅଲିଭା ସନ୍ତକ,
ଶୁଭ ରାତ୍ରି ନାହିଁ କେବେ, ତୁମ ପାଇଁ
ଅଛି ଶୁଭ ସକାଳ ସଂକଳ୍ପ !
କି ଲଗ୍ନର ଲାକ୍ଷାଦ୍ବୀପ, ହେଲା ଆମ
କଣ୍ଠେ କଣ୍ଠେ କଣ୍ଠ ପ୍ରତିଦାନ,
ସାକ୍ଷାତ ତ ଦୂରେ ଥାଉ, ସମ୍ମତିର
ଶବ୍ଦେ ଶବ୍ଦେ ସ୍ବର୍ଗୀୟ ମିଳନ ।
ସ୍ବର୍ଗୀୟ ସମ୍ଭାର ଥିଲା, ମିଳନରେ
ଥିଲା ସ୍ବଚ୍ଛ ସୁମାନସିକତା,
ଜରାୟୁ ଜୀବନେ ମୋର, ଜନ୍ମ ଦେଲା
ଦୀର୍ଘାୟୁଷ ସ୍ବପ୍ନର ବାରତା ।
ଚନ୍ଦନ ଚର୍ଚ୍ଚିତ ତୁମ, ଦିବ୍ୟ କାନ୍ତି
ମୋ'ନୟନ ଜ୍ୟୋତି ପାଲଟିଲା,
ଲୋଭନୀୟ ନୈସର୍ଗିକ, ବାର୍ତ୍ତାଳାପ
ମୋ'ଜୀବନ ଜାତକ ସାଜିଲା ।
ଶିକ୍ଷାର ସଉଧ ତୁମେ, ସ୍ଥିତପ୍ରଜ୍ଞ
ସଭ୍ୟତାର ସ୍ଥିର ମାପକାଠି,
ସ୍ନେହର ଭଣ୍ଡାର, ତୁମ ପରି ବନ୍ଧୁ
ଏ ଅଭାବୀ ପାଇବ କେଉଁଠି !
ଭାବରେ ଭାବରେ ତୁମେ, ବନ୍ଧନର
ବିଧିବଦ୍ଧ ସଂଯତ ପାଖୁଡା,
ସେ ପାଖୁଡା ପାଇବାକୁ, ଗୋଲାପକୁ
ପୁନଃ ପୁନଃ ପୁନର୍ଜନ୍ମ ଲୋଡ଼ା ।
ଅଭିମାନେ ଅଭିମାନୀ, ସ୍ୱାଭିମାନ
ଜନ୍ମେ ଜନ୍ମେ ତୁମ ଅଳଙ୍କାର,
ଅଳଙ୍କୃତ ଜୀବନର, ପରିସୀମା
ହେ ବନ୍ଧୁ,ଏ ଜଗତେ ବିରଳ ।
"ବନ୍ଧୁ" ନୁହେଁ ସାଧାରଣ, ଏକ ଶବ୍ଦ
ବନ୍ଧୁତ୍ୱ ଯେ ସୁପ୍ତ ଅନୁଭବ,
ଗ୍ରନ୍ଥି ଗ୍ରନ୍ଥି, ଶିରା ଶିରା ଧମନୀରେ
ମଧୁ ମହୁ ଅଣୁରୁ ଉଦ୍ଭବ ।
ମୋ' ଜୀବନ ଇତିହାସ, ସଙ୍କୁଚିତ
ତୁମେ ମୋର ବ୍ରହ୍ମାଣ୍ଡ ଭୂଗୋଳ,
ଅକ୍ଷାଂଶ ଦ୍ରାଘିମା ନାହିଁ ସେ ଭୁଗୋଳେ
ଅଛି ତୁମ ମନର ନିର୍ମାଲ୍ୟ ।
ମୋ' ହୃଦୟ ଚିତ୍ରକଳ୍ପ, ରୂପକଳ୍ପ
ମୋ' ମନ ନିଖୁଣ ଶିଳ୍ପାୟନ,
ଜନ୍ମେ ଜନ୍ମେ ଖୋଜୁଥିବି, ତୁମକୁ ମୁଁ
ମୋ' ବିଧାନ କରିଛି ଭିଆଣ ।
