ଶାସ୍ତି
ଶାସ୍ତି
ଗରୀବ କୁଟୀରେ ଜନମ ହୋଇଲି
ଦୁଃଖ ଥିଲା ଉପହାର,
ସୁଖ ପାଇବାକୁ ଯେବେ ଆଶା କଲି
ଲୁହ ହେଲା ମୋ ସମ୍ଭାର ।
ପେଟେ ମୋର କ୍ଷୁଧା ଅନଳର ସମ
ଜଳୁଥିଲା ନିତି ନିତି,
ଜୀବନ ଯନ୍ତ୍ରଣା ସିକ୍ତ କରିଥିଲା
ଜୀଇଁବା ଯେମିତି ଶାସ୍ତି ।
ଦେହ ଖୋଜୁଥିଲା ଲାଜ ଢାଙ୍କିବାକୁ
ବସନ ନିଅଣ୍ଟ ଥିଲା,
ଆଶ୍ରା ପାଇଁ ଯେବେ ହାତ ବଢାଇଲି
ରକ୍ଷକ ଭକ୍ଷକ ହେଲା ।
ବାସ ବୋଲି ଯେଉଁ କୁଡିଆଟି ଥିଲା
ମୁକ୍ତ ବାୟୁ ଚଳାଚଳ,
ବରଷା ଝରର ଅବାଧ୍ୟ ପ୍ରବେଶ
ଶେଯୁ ଦେଖେ ତାରାମେଳ ।
ଗରୀବ ଜୀବନ ସତେକି କଷଣ
ଅଛି କି ବା ଅବସାନ,
କେଉଁ ଅପରାଧେ ଶାସ୍ତି ଇଏ ମୋର
ମନେ ଉଙ୍କୁଥିଲା ପ୍ରଶ୍ନ ।
