STORYMIRROR

Arup Biswal

Tragedy Inspirational Others

3  

Arup Biswal

Tragedy Inspirational Others

ଶାଶୁଘର

ଶାଶୁଘର

1 min
241


ବିଧିର ବିଧାନ କେ କରିବ ଆନ

ଏଇତ ସଂସାର ଖେଳ,

ଝିଅ ଚାଲିଯିବ ଶାଶୁଘର ଦିନେ

ଛାଡି ସାଙ୍ଗ ସାଥି ମେଳ।


ପିତାମାତାଙ୍କର ଆଖିର ଅଞ୍ଜନ

ଥିଲା ଭାରି ଅଲିଅଳି,

ସେନେହ ମମତା ଡୋରିକୁ ଛିଡେଇ

ଯାଏ ଶାଶୁଘର ଚାଲି।


ପରକୁ ଆପଣା ଆପଣାକୁ ପର

ତାକୁ କରିବାକୁ ହେବ ,

ମାଆର ପଣତେ ଲୁହ ବନ୍ୟା ଛୁଟେ

ପଥର ବି ପାଣି ହେବ।


ଛାତି ଫାଟିଯାଏ ଦେଖି ଏଇ ଦୃଶ୍ୟ

ଦିଅ ପ୍ରଭୁ ତାକୁ ବଳ,

ଦୁହିତା ପରା ସେ ଦୁଇ କୁଳ ହିତା

ସୃଷ୍ଟିର ଅଟେ ସମ୍ବଳ।


ଶାଶୁ ଶଶୁରଠୁ ଦିଅର ନଣନ୍ଦ

ସ୍ବାମୀ ତାର ପରିବାର,

ସେନେହ ମମତା ରଙ୍ଗେ ସଜେଇବ

ବାନ୍ଧିବ ସମ୍ପର୍କ ଡୋର।


ସଂସାର ଭିତରେ ଘର ସେ କରିବ

ପଥରକୁ ନାହିଁ ଡର,

ହେବ ସିଏ ଜାୟା ଜନନୀ,ଠୁ ବୋହୂ

ନାହିଁ ଯାର ପଟାନ୍ତର।


ମାଆ ଡାକ ଟିକେ ଶୁଣିଵା ପାଇଁକି

ଜୀବନ ଲଗାଏ ବାଜି,

କିଏ ସେ ବୁଝିବ ତା ମନ ବେଦନା

ଦୁନିଆ ସୁଖର ସାଥୀ।


ମାଟି କଣ୍ଢେଇକୁ ଦେଇ ଜୀବଦାନ

ରକତ ନିଗାଡି ତାର,

ପୁଅ,ଝିଅ,ନାତି,ନାତୁଣିରେ ରଖି

ଦେଇଥାଏ ଉପହାର।


ତଥାପି ସେ ହସେ ହସାଇବା ପାଇଁ

ଏଇ ସାରା ଦୁନିଆକୁ,

ପ୍ରତିଦାନେ ତାକୁ ମିଳଇ ଯନ୍ତ୍ରଣା

କିଏ ଶୁଣେ ତା ଦୁଃଖକୁ।


ଧରିତ୍ରୀ ପରି ସେ ସହନଶୀଳା ଯେ

ହସିହସି ସହେ ସବୁ,

ଶାଶୁଘରେ ସାଜେ ସୌଭାଗ୍ଯବତୀ ଯେ

ଦୁଃଖକୁ ବି କରେ କାବୁ।


ଧୈର୍ଯ୍ୟ ତା ଭୁଷଣ କଥା ତା କୋମଳ

ଶାଶୁଘର ସ୍ବର୍ଗ ତୋର ,

ମିଠାମିଠା କଥା ହରିନିଏ ବ୍ୟଥା

ଧନ୍ୟ ତୋହର ବେଭାର।


ଦଧିଚିଙ୍କ ପରି ଏ ଦୁନିଆ ପାଇଁ

ଜୀବନ ସମର୍ପି ଦେଉ,

ଶାଶୁଘରକୁ ତୁ ନିଜ ହାତେ ତୋଳି

ସରଗଟେ ଗଢୁଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy