ହେ ବର୍ଷା
ହେ ବର୍ଷା


ହେ ବର୍ଷା !
ତୁମରି ସ୍ପର୍ଶରେ ଏସୃଷ୍ଟି ହେଉଛି
କେତେ ଯେ ଶସ୍ୟ ଶ୍ୟାମଳା,
ତୁମରି ଛୁଆଁରେ ପଲ୍ଲବିତ ସବୁ
ପିନ୍ଧାଅ ବୃକ୍ଷକୁ ମାଳା।
ହେ ବର୍ଷା !
ତୁମେ ଆସିଥାଅ ଏ ଧରାକୁ ନୂଆ
କରି ଗଢି ତୋଳିବାକୁ,
ତୁମେ ଆସ ଶୁଷ୍କ ଧରାର ଛାତିରେ
ଶୀତଳତା ଭରିବାକୁ,
ହେ ବର୍ଷା !
ତୁମେତ ରୋଗୀର ଅନ୍ତର ତଳର
ସୀମାହୀନ ସରସତା,
ତୁମେ ଭରିଦିଅ ସୁପ୍ତ ମଞ୍ଜିରେ
ଚେତନାର ନୂଆ ବାର୍ତ୍ତା।
ହେ ବର୍ଷା !
ତୁମେ ଭରିଦିଅ ମୟୁର ଶରୀରେ
ନୃତ୍ୟର କାଉଁରୀ ସ୍ପର୍ଶ,
ତୁମେ ଅଟ ପରା ଶିଶୁର ଓଠରେ
ମେଞ୍ଚାଏ ଦରୋଟି ହସ।
ହେ ବର୍ଷା !
ତୁମେ ଲେଖିଦିଅ ନଈ ହୃଦୟରେ
କୁଳୁକୁଳୁ ନୂଆ ଗୀତି,
ତୁମକୁ ଅପେକ୍ଷା କରିଛି ଝରଣା
ଝରାଇବ ବୋ
ଲି ପ୍ରୀତି।
ହେ ବର୍ଷା!
ଇନ୍ଦ୍ରଧନୁର ସପ୍ତରଙ୍ଗେ ତୁମେ
ବାଦଲର ରୂପରେଖ,
ନୀଳ ଦରିଆର ପ୍ରତିଛବି ତୁମେ
ଆକାଶରୁ ଥାଇ ଦେଖ।
ହେ ବର୍ଷା !
ଜଗତ ମଙ୍ଗଳ ତୁମ ଇଚ୍ଛା ପରା
ଜଗତ କଲ୍ୟାଣମୟୀ,
ପ୍ରଦୂଷିତ ଏଇ ପରିବେଶ ଯେଣୁ
ତୁମେ ଯାଉଛ ଉଭେଇ।
ହେ ବର୍ଷା !
କେବେ ସୃଷ୍ଟିକର ମହାବାତ୍ୟା ପୁଣି
କେବେ ଜଳର ପ୍ରଳୟ,
ନର ସାଜିଅଛି ସୃଷ୍ଟିର ଘାତକ
ଗାଇକି ଯନ୍ତ୍ରର ଜୟ।
ହେ ବର୍ଷା !
ତୁମେତ ଦେଉଛ ଚେତାଇ ସଭିଙ୍କୁ
'ମା 'ପରି କର ଆକଟ,
ତଥାପି ଏ ନର କାହିଁକି ଧାଇଁଛି
କରୁଛି କୂଟ କପଟ।
ହେ ବର୍ଷା !
ତୁମେ ମଣିଷ ମନରେ ଭରିଦିଅ ସେନେହର ମିଠା ଗନ୍ଧ ,
ହରିନିଅ ତାର ସବୁ ଅବଗୁଣ
ନର ହୋଇଯାଉ ଶୁଦ୍ଧ।