STORYMIRROR

Arup Biswal

Others

3  

Arup Biswal

Others

ଭାରତ ବି ମୋର ମାତା

ଭାରତ ବି ମୋର ମାତା

1 min
227


ଆକବର ବୀରବଲ ଯାଉଥିଲେ ଦିନେ

ପଡିଲା ଜଙ୍ଗଲ ଏକ,

ବୀରବଲ ଦେଖିଣ ତୁଳସୀ ବୃକ୍ଷକୁ

ପ୍ରଣମିଲେ ଯାଇ ପାଖ।

ଆକବର ଆଶ୍ଚର୍ଯ୍ୟ ହୋଇ ପଚାରିଲେ

ଏଥିର ରହସ୍ୟ କୁହ,

ବୀରବଲ କହନ୍ତି ତୁଳସୀ ମୋ ମାଆ

ତେଣୁ ଏ ଗଛ ମୋ ପ୍ରିୟ।

କ୍ରୋଧରେ ଅଧିର ହୋଇ ଆକବର

ଛିଣ୍ଡାଇ ଦେଲେ ଗଛକୁ,

ମୋଡି ମକଚିକି ଫିଙ୍ଗିଦେଲେ ଗଛ

କହିଲେ ଚାଲ ଆଗକୁ।

ବିଛୁଆତି ଗଛ ଦେଖି ବୀରବଲ

ସାଷ୍ଟାଙ୍ଗ ପ୍ରଣାମ କଲେ,

ମନ୍ତ୍ରୀଙ୍କୁ ଆକଟି ରାଗର ରାଜନ

କାରଣଟା ପଚାରିଲେ।

ବୀରବଲ କହିଲେ ଏଇ ପରା ମୋର

ଅଟନ୍ତି ପିତାଙ୍କ ସରି,

ଉଛୁର ହେବାରୁ ଆକବର ରାଗରେ

ଓପାଡିଲେ ଗଛ ଧରି।

ମୋଡି ମକଚିକି ଫିଙ୍ଗିଦେଲେ ତାକୁ

ସାରା ଦେହେ ବାଜିଗଲା,

ଭୀଷଣ କୁଣ୍ଡେଇ ହେଲା ତାଙ୍କ ଦେହ

ଯନ୍ତ୍ରଣା ବି ବଢିଗଲା।

ରକ୍ଷାକର ବୋଲି ଡାକି ଆକବର 

ବିକଳ ଅବସ୍ଥା ହୋଇ ।

ବୀରବଲ କହିଲେ ଗାଈକୁ ପ୍ରଣାମ

ହେ ରାଜନ କର ଯାଇ।

ବିକଳରେ ରାଜା ଯାଇ ଗାଈ ପାଶେ

କରିଲେ ଦଣ୍ଡ ପ୍ରଣାମ,

ଗାଈ ଛେରି ଦେଲା ଦେହରେ ତାଙ୍କର

କଷ୍ଟ ହେଲା ଉପଶମ।

ଗାଈ ଗୋବରକୁ ବୋଳି ଆକବର

କୁଣ୍ଡାଇ ହେବା ସ୍ଥାନରେ,

କେମିତି ଯିବେ ସେ ରାଜ ପ୍ରାସାଦକୁ

କୁହ ମୋତେ ମନ୍ତ୍ରୀ ବାରେ।

ବୀରବଲ ଦେଖାଇ ଦେଲେ ଗଙ୍ଗାକୁଳ

କରଯାଇ ବେଗେ ସ୍ନାନ,

ପବିତ୍ର ପାଣିରେ ଗାଧୋଇ ଆକବର

ହୋଇଲେ ଆଶ୍ବସ୍ତ ପୁଣ।

କିଛିକ୍ଷଣ ପରେ କହିଲେ ରାଜନ

ଧନ୍ୟ ଧନ୍ଯ ତୁମେ ଧନ୍ୟ,

ଧନ୍ୟ ଏଇ ମାଟି ଧନ୍ୟ ତୁମ ଦେଶ

ଅସରନ୍ତି ତୁମ ପୁଣ୍ୟ।

ଗଛ ଏଠି ମାତା ଗଛ ଏଠି ପିତା

ଗାଈ, ନଦୀ ବି ଦେବତା,

ଆଜିଠୁଁ ଏ ଦେଶ ମୋର ଜନ୍ମଭୂମି

ଭାରତ ବି ମୋର ମାତା।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍