ଶାନ୍ତିସ୍ତୁପ ଧଉଳି
ଶାନ୍ତିସ୍ତୁପ ଧଉଳି


ମହା ମହିମ ହେ ସମ୍ରାଟ କଳିଙ୍ଗ
ରାଇଜ କଲ ବିଜୟ
ସବୁକିଛି ତୁମ ହାତ ପାହାନ୍ତାରେ
କରିବ କି ଅନୁଗ୍ରହ।
ଗଣ୍ଠି ଧନ ମୋର ଏକୋଇର ବଳା
ଯୁଦ୍ଧେ ହାରିଛି ପରାଣ
ତା ବିନା ମୁଁ ଦେହ ଧରି ପାରୁନାହିଁ
ଭିକ୍ଷା ମାଗେ ତା ଜୀବନ ।
ହୋଇଲୁକି ବାଇ ମଲା ମଣିଷଟି
ଜୀବଦାନ କେବେ ପାଏ
ଅସମ୍ଭବ ଚିଜ ମାଗି କହୁଅଛୁ
ଛୋଟ କଥା ଟିଏ ଇଏ ।
ଗୋଟିଏ ଜୀବନ ଫେରେଇ ଦେବାକୁ
ନିହାତି ଅସମରଥ
କୋଟିଏ ଜୀବନ ନେଇ ଖୁସି ହେବା
କାପୁରୁଷ ପଣିଆତ।
ଜନମ ମରଣ ନିୟତି ଭିଆଣ
ସବୁ ତାଙ୍କ ଲୀଳା ସତେ
ନିରୀହ ମରଣ କାରଣରେ ଖୁସି
କାଳ ନିଅ ଇଚ୍ଛାମତେ।
ରକତ ଧାରରେ ରକତ ବରନା
ଦୟା ନଦୀଟିର ଜଳ
ହିଆ ଥରାଉଛି ବିକଳ କାନ୍ଦଣା
କଟା ମୁଣ୍ଡ ମାଳ ମାଳ ।
ଶାଣିତ ମୁନରେ ଶୋଣିତ ନିଗାଡ଼ି
କରୁଅଛ ରାଜ୍ୟ ଜୟ
ମାନବ ହୃଦୟ ନ ଜିଣି ପାରିଲେ
ସେ କି ପ୍ରକୃତ ବିଜୟ ।
ନିଜକୁ ପାଶୋରି ପରଜାଙ୍କ ଲାଗି
କରି ସାଧ୍ୟମତେ ହିତ
ରାଜାଟିଏ ରହେ ସବୁଦିନ ପାଇଁ
ପରଜା ହୃଦେ ଜୀବିତ।
ଅନୁତାପ ଲୁହ ଧାରେ ବୋହିଗଲା
ରାଶି ରାଶି ଅହଂକାର
କଲା କରମର ଗାଥା ହେଜି ରାଜା
ନିଜକୁ କଲେ ଧିକ୍କାର।
ଚନ୍ଦନ ବନର ପାଶେ ରହି ନିମ
ଚନ୍ଦନ ଚନ୍ଦନ ବାସେ
ମାଗୋ ତୁମ ଦିବ୍ୟ ଚେତନା ପରଶେ
ଚେତନା ମୋ ଫେରିଆସେ।
ଧନ୍ୟ ତୁମେ ମାତା ପ୍ରଣାମ ପୟରେ
ଦେଲ ମତେ ମହା ଶିକ୍ଷା
କାମନା ବିନାଶେ ଦୁଃଖର ବିନାଶ
ନେଲି ମୁଁ ଜୀବନେ ଦୀକ୍ଷା।
ଦୟା କ୍ଷମା ପର ଉପକାର ଆଦି
ମାନବତାର ଭୂଷଣ
ସେ ଦିବ୍ୟ ଭୂଷଣେ ଆଭୂଷିତ ହୋଇ
ପାଇଲି ନୂଆ ଜନମ।
ମୋ ଓଡିଶା ଦେଶେ ପାପୀ ଚଣ୍ଡାଶୋକ
ହୋଇଗଲେ ଧର୍ମାଶୋକ
ଯୁଗ ଯୁଗ ପାଇଁ ଧଉଳି ପାହାଡ଼
ଶାନ୍ତି ସ୍ତୁପ ନାମେ ଖ୍ୟାତ।