ଶାମ୍ବ ଦଶମୀ
ଶାମ୍ବ ଦଶମୀ
ଗ୍ରହଙ୍କର ହର୍ତ୍ତା-କର୍ତ୍ତା ଯେ ସବିତା
ଆର୍ଯ୍ୟମା, ଭାନୁ ମିହିର
ତାହାଙ୍କର ପୂଜା ଉପାସନା ପାଇଁ
ଶାମ୍ବ ଦଶମୀ ପର୍ବର ।
ଦ୍ଵାପର ଯୁଗରୁ ପାଳନ ଯେ କରୁ
ଅଛନ୍ତି ଭାରତବାସୀ
ପୌରାଣିକ ମତ ସଂସ୍କୃତି ମହତ୍ତ୍ଵ
ଘେନିଣ ଯେ ଗରିୟସୀ ।
ମହିମା ଭାସ୍ୱର ହୋଇ ଚିରକାଳ
ନାଶେ ରୋଗ, କଷ୍ଟ ,ପୀଡା
ସେ ଶାମ୍ବ ଦଶମୀ ପୂଜନ୍ତି ଦ୍ୟୁମଣୀ
ଅର୍ପନ୍ତି ଭୋଗ ଉଖୁଡା ।
ପଉଷ ମାସରେ ଶୁକ୍ଳ ପକ୍ଷରେ
ପଡଇ ଶାମ୍ବ ଦଶମୀ
ପ୍ରତି ଜନମନ ଆନନ୍ଦ ଘେନିଣ
ସୂର୍ଯ୍ୟ ଉପାସନା ପାଇଁ ।
ହୁଅନ୍ତି ତତ୍ପର ଗ୍ରାମ,ପଲ୍ଲୀ,ପୁର
ହୁଏ ଉତ୍ସବମୁଖର
କରନ୍ତି ସଭିଏଁ ପରମ ତୃପ୍ତିରେ
ପୂଜନ ଘେନି ବିଧିର ।
ଦୁର୍ବାସା ମହର୍ଷି ଅଭିଶାପ ବର୍ଷି
ଶାମ୍ବଙ୍କୁ କଲେ ପୀଡ଼ିତ
ଦୁରାରୋଗ୍ୟ ବ୍ୟାଧି ଘେନି ନିରବଧି
ଶାମ୍ବ ହୋଇଲେ ତାପିତ ।
ନିରାକରଣର ମାର୍ଗ ବତାଇଣ
କହିଥିଲେ ସେ ଦୁର୍ବାସା
ଗ୍ରହରାଜ ସୂର୍ଯ୍ୟ ଉପାସନା କାର୍ଯ୍ୟ
କଲେ ଦୂର ଏ ଦୁର୍ଦ୍ଦଶା ।
ଏହା ପରେ ଶାମ୍ବ ମାତା ଜାମ୍ୱବତୀ
ଦ୍ଵାରକା ତେଜି ତୁରିତ
ପ୍ରବେଶ ପବିତ୍ର ପୂଣ୍ୟ ଅର୍କକ୍ଷେତ୍ର
ଚନ୍ଦ୍ରଭାଗା ତୀର ସ୍ଥିତ ।
ଉତ୍କଳ ପ୍ରଦେଶେ ତପସ୍ୱୀର ବେଶେ
ଜାମ୍ୱବତୀଙ୍କ ସହିତ
ଦ୍ବାଦଶ ବରଷ ରହି ଅହର୍ନିଶ
ରବିଙ୍କୁ କଲେ ତୃପତ ।
ଦେବ ବିବସ୍ୱାନ ସନ୍ତୋଷେ ଅର୍ପଣ
କରିଲେ ଶାମ୍ବ ଅଭିଷ୍ଟ
ବରଦାନ କରି ଆପେ ନେଲେ ହରି
ଯନ୍ତ୍ରଣା ଓ ରୋଗ କଷ୍ଟ ।
ସେବେଠାରୁ ପ୍ରତି ବରଷ ହେଉଛି
ଶାମ୍ବ ଦଶମୀ ପାଳନ
ସୂର୍ଯ୍ୟ ଉପାସନା ବିଧି କରି ନାନା
ବ୍ୟାଧି ଠାରୁ ପରିତ୍ରାଣ ।
ହରିଦ୍ରା ଘଟିଟ ଜଳେ ହରିଦସ୍ଵ
ବିମ୍ୱକୁ ଅବଗାହନ
କୁସୁମ ଚନ୍ଦନ ନୈବେଦ୍ୟ ପ୍ରଦାନ
ଧୂପ ଦୀପ ଅର୍ପଣ ।
କରି କରାଅନ୍ତି ନାରୀମାନେ ସେବି
ସବିତା ତୃପ୍ତି ବିଧାନ
ସୁତ,ସୂତାଙ୍କର ନିରୋଗ ଶରୀର
ନିମିତ୍ତ ହୁଏ ପାଳନ ।

