ଶାଢୀ
ଶାଢୀ
କି ସୁନ୍ଦର ଆମ ଓଡିଆ ଚଳଣୀ
ଓଡିଆର ପରମ୍ପରା
ବାରମାସେ ତେର ପରବକୁ ନାରୀ
ପାଳେ ଏଇ ବସୁନ୍ଧରା ।
ପ୍ରତ୍ୟେକ ପର୍ବରେ ଶାଢୀ ସିଏ ପିନ୍ଧେ
ମଥାରେ ନାଏ ସିନ୍ଦୂର
ମଥାରେ ଓଢଣୀ ଦେଇ ସିଏ ସତେ
ଦିଶୁ ଥାଏ କି ସୁନ୍ଦର ।
ଓଡିଆ ଘରର ବୋହୁଟିଏ ଯେବେ
ଶାଢୀ ପିନ୍ଧି ଆସି ଥାଏ
ଚୁପି ଚୁପି ଚାଲି ଥିରି ଥିରି କଥା
କହି ମନ ମୋହି ନିଏ ।
ମଥାରେ ଓଢଣୀ ପାଦରେ ଅଳତା
ହାତେ ନାଲି ଶଙ୍ଖା ଥାଏ
ନାଲି ପାଟ ଶାଢୀ ପିନ୍ଧି ସାଜି ଥାଏ
ସାଧବ ବୋହୁଟି ସିଏ ।
ବାଡୁଅ ପାଣିରେ ଗାଧୋଇବା ବେଳେ
ଶାଢୀ ହୁଏ ଦରକାର
ନିର୍ବନ୍ଧରେ ଶାଶୁଘର ଶାଢୀ ପିନ୍ଧି
କରଇ ସିଏ ଜୁହାର ।
ବିବାହ ବେଦୀରେ ଶାଢୀ ଦରକାର
ତାକୁ ବା ରୋକିବ କିଏ
ବଉଳ ପାଟକୁ ଦେହର ପିନ୍ଧିଣ
ମଙ୍ଗୁଳୁତି ସିଏ ଖାଏ ।
ଲେଉଟୁ ପାଉଟୁ ଯେବେ ହେଇଥାଏ
ଶାଢୀ ପିନ୍ଧି ଥାଏ ସିଏ
ବନ୍ଦାପନା କରି ଘରକୁ ନିଅନ୍ତି
ମଥାରେ ଓଢଣୀ ଥାଏ ।
ଘର କୁଳବଧୂ ଶାଢୀକୁ ପିନ୍ଧିଣ
ଦେଇଥାଏ ସଞ୍ଜବତୀ
ଶାଢୀ ସାଥେ ଶଙ୍ଖା ସିନ୍ଦୂର ନାଇଲେ
ଦୀର୍ଘାୟୁଷ ହୁଏ ପତି ।
ଶାଢୀରେ ନାରୀଟି ଦିଶଇ ସୁନ୍ଦର
ଆଖି ଲାଖି ଯାଇଥାଏ
ଆଜିକାଲି ନାରୀ ଶାଢିକୁ ଛାଡିଣ
ଜିନସ୍ କୁ ଖୋଜୁ ଥାଏ ।
କିଏ ଶାଲୁୱାର କିଏ ଚୁଡିଦାର
କିଏ ଲେହେଙ୍ଗା ପିନ୍ଧଇ
ଅଂହକାର ବଶେ ଗାରିମା ଦେଖାଇ
ଫୁଟାଣୀ କେ ମାରୁ ଥାଇ ।
ଚୁଡି ଖୋଲି ଦିଏ ବିନ୍ଦି ସେ ଲଗାଏ
ମାରୁଥାଏ ପଇଁତରା
କେତେ ଟୋକାଙ୍କୁ ସେ ବାଇଆ କରଇ
ଆଖିରେ ମାରି ଇଶାରି ।
ଆଜିକାଲି ନାରୀ ବେଶ ଭୂଷା ଦେଖି
ମନେ ପ୍ରଶ୍ନ ଆସିଯାଏ
ବାହା ହେଇଛି କି ଅଭିଆଡି ଅଛି
ନା କିଛି ଜାଣି ହୁଏ ।
ଓଡିଆ ସଂସ୍କୃତି ଭିତରେ ତ ଏବେ
ପଶେ ପଶ୍ଚାତ୍ ସଭ୍ୟତା
ନାରୀମାନେ ନିଜେ ବୁଝି ପାରନ୍ତି ନି
ବଧୂ କି ବା ସେ ଦୁହିତା ।
ମାଗି ଆଣିଥାଏ ତରକାରୀ ଯିଏ
ସିଏ ସୁଢୁକେ ତ ହୁଏ
ନିଜସ୍ୱର କୃତୀ ଚିରଦିନ ପାଇଁ
ଉଦ୍ଭାସିତ ହେଇଥାଏ ।
ନାରୀ ମନଙ୍କୁ ଯେ ଦେବୀଙ୍କ ସହିତ
ତୁଳନା କରାଯାଇଛି
କେଉଁ ଦେବୀ ଶାଢୀ ବ୍ୟତୀତ ଅଲଗା
ପିନ୍ଦିବୃର କେ ଦେଖିଛି ।
ବନବାସ କାଳେ ଦେବୀ ଅନସ୍ୱୁୟା
ସୀତାଙ୍କୁ ବସ୍ତ୍ର ସେ ଦେଲେ
ସେ ଅମ୍ଳାନ ବସ୍ତ୍ର ଜାନକୀ ଦେହରେ
ସେମିତି ପିନ୍ଧିଣ ଥିଲେ ।
କୁରୁସଭା ତଳେ ଦ୍ରୌପଦୀଙ୍କୁ କୃଷ୍ଣ
କୋଟି ବସ୍ତ୍ର ଦେଇଥିଲେ
ଚାରି ଯୁଗେ ଶାଢୀ ମହତ୍ତ୍ୱ ରହିଛି
ଦୃଷ୍ଟି ଦେଇ ଦେଖ ଭଲେ ।
ଶୁଭ କାର୍ଯ୍ୟ ଯେବେ କରା ଯାଇଥାଏ
ଶାଢୀ ଆବଶ୍ୟକ ହୁଏ
ଜୀବନର ଶେଷ ଯାତ୍ରା ବିଦାୟରେ
ଶାଢୀ ଖୋଜା ଯାଇଥାଏ ।
ଶାଢୀ ବ୍ୟବସାୟ କରି ଆଜିକାଲି
ପୋଷୁଛନ୍ତି ପରିବାର
ଶାଢୀର ମାନ୍ୟତା ରହିଛି ରହିବ
ଥିବ ଏ ଯୁଗ ଯୁଗର ।
