ଶ୍ୱେତପଦ୍ମ ଧାରେ
ଶ୍ୱେତପଦ୍ମ ଧାରେ
ପଚାରିଲି ଦିନେ,
କଳା ଭଅଁର କୁ
ଏ ମିଠା ଗୁଞ୍ଜରଣ ତୋତେ
କିଏ ଶିଖେଇଲା ତୋତେ କହ
ନିରେଖି କହିଲା,
ଶ୍ୱେତ ସେବତୀର
ପାଖୁଡା କୋଳରେ
ସାଇତା ସୁଧା ବିନ୍ଦୁ ଟିଏ
ବାସୁଥାଏ ମହମହ
ପଚାରିଲି ଦିନେ,
କଳା କୋଇଲିକୁ
କଣ୍ଠରେ ତୋର କୁହୁକ ମଣି
କିଏସେ ବାନ୍ଧିଛି କହ
ଲାଜେଇ କହିଲା
ନବ ନିକୁଞ୍ଜରେ
ମୁକୁତା ମଣ୍ଡିତା
ଶୁ୍କ୍ଲ ତପସ୍ୱିନୀଟିଏ
ଗାଉଥାଏ ଅହରହ
ପଚାରିଲି ଦିନେ,
କଳା କାହ୍ନୁ କୁ
ବେଣୁରେ ତୋହର
ମୋହିନୀ ଛନ୍ଦଟେ
କିଏସେ ଖଞ୍ଜିଲା କହ
ହସିକି କହିଲା,
ଶୂନ୍ୟ ସରସୀର
ଶ୍ଵେତପଦ୍ମ ଧାରେ
ମୁକ୍ତ ବୀଣା ଟିଏ
ନିତ୍ୟ ରମେ ମୋ ସହ