ସେମିତି କିଛି ବିଶେଷ ନୁହେଁ
ସେମିତି କିଛି ବିଶେଷ ନୁହେଁ


ଏମିତି କିଛି ବିଶେଷ ନାହିଁ
ହଁ
ସେମିତି କିଛି ବିଶେଷ ନାହିଁ ଖାଲି ଯାହା
ବୈଠକ ଘର ଦର ଆଉଜା କବାଟ ଫାଙ୍କରୁ
ଦିଶୁଛି ଆରପଟ ପୃଥିବୀ
ଆଉ ସେଠି ଆତଯାତ ହେଉଥିବା ତମାମ ଚରିତ୍ର ସବୁ
ଚରିତ୍ର -ଏକ
ଠିକ କବାଟ ଅରପଟେ
ଭାଙ୍ଗି ଯାଇଥିବା ଏରୁଣ୍ଡି ତଳେ
ଚିରସ୍ଥାୟୀ ବନ୍ଦୋବସ୍ତ ର ଦସ୍ତାବିଜ ଧରି ରହୁଥିବା
ବଡ଼ ବୁଢା କାଠ ବେଙ୍ଗ
ଆଖି ଉପର ପତା ତଳେ ଡୋଳା ବୁଲୁଥାଏ ଅହରହ
ଟାକିଥାଏ ପୋକ ଜୋକ ଯିଏ ଚଢିଲା ବାରଣ୍ଡା
ତାକୁହିଁ ନେଇ ଚଳିଯାଏ ଦ୍ୱିପ୍ରହର ଖାଇବା
ବିନା କାମରେ ଦିନପ୍ରତିଦିନ ଯୋଗାଡ଼ି ନିଏ
ନିଜ ଆହାର,
ଅଥଚ ବିନାକାମରେ ମଣିଷ ବିଚରା
ଓଳିଏ ମୁଠେ ଖାଇବା
ଏକ ଦିବାସ୍ବପ୍ନ,
ଏକ ଫମ୍ପା ଆବାଜ
ଚରିତ୍ର -ଦୁଇ
ବାରଣ୍ଡା ଅରପଟେ କୋଣିଆ ଜାଗା ରେ
ବନ୍ଧା ହେଇଥାଏ ଆମ ପୋଷା କୁକୁର କିଙ୍ଗ
ବେକରେ ଜାପାନୀ ଚମଡା ବେଲ୍ଟ
ସକାଳେ ସଂଜେ କରେ ୱାକ
ରାମୁ ଗୌଡ଼ ର କ୍ଷୀର ଆସେ ଖାସ ତା 'ପାଇଁ
ହାକିମ ମିଆ ର ଚିକେନ ଲେଗପିସ
ରେ ତାର ଭାରୀ ମନ,
ସୁଷମ ଆହାର ବୋଧେ ତାରିପାଇଁ ଉଦ୍ଧିଷ୍ଟ
ଖୁବ ରାଜକୀୟ ଜୀବନ..
ଖୁବ ଚଳମାନ ପ୍ରବାହ..
ଚରିତ୍ର -ତିନି
ଗେଟ ପାଖକୁ ଆଉଟ ହାଉସ
ସେଠି ଥାଏ ଘରେ ପାଇଟି କରୁଥିବା ମା ଟିଏ
ବାବୁଘର ଖାନା
ନ 'ତୁଣ ତେର ଭଜା
ଖିରି ଖିରିସା କେତେ କଣ
କୋଳରେ ଛୁଆଟିଏ ମିଟି ମିଟି ଚାହୁଁଥାଏ
ବୁଝେନା କିଛି
କ୍ଷୁଧା ତୃଷା କଣ ଜାଣେନା
ମା ଛାତି କୁ ଝୁଣୁ ଥାଏ ଯେତେବେଳେ ସେତେବେଳେ
କେତେବେଳେ ଟୋପାଏ ପାଏ ତ ଖୁସି ରେ
କୁନି ପାଦରେ ମିଠା ଲାତ ଟିଏ ମାରିଦିଏ ମା "ହାତକୁ
ଆଉ ବେଳେ ଝୁଣୁଥାଏ ଟାଣୁଥାଏ
ଅଥଚ
ସୁଖୀ ଯାଇଥିବା ସ୍ତନରୁ ବାହାରେ ବା କ'ଣ
ଚିଲେଇ କାନ୍ଦେ
ମା' କୁ ସତ ସତିକା ଲାତ ମାରେ,,
ମା' ଚାହୁଁ ଥାଏ ଶୂନ୍ୟକୁ
ଆଖି ଓଦା ହେଇ ଛାତିକୁ ଗଡି ଯାଏ
ଅଝଟ ଶିଶୁ କ୍ଷୀର ବଦଳେ ଲୁଣି ଲୁହକୁ ଶୋଷିନିଏ
ସେ ବୋଧ ପାଏ
କେତେବେଳେ ଶୋଇଯାଏ
ନା ମା' ଜାଣେ ନା ସେ' ଜାଣେ,
ହଁ
ଘଟଣା ସେମିତି କିଛି ବିଶେଷ ନାହିଁ
ଖାଲି ଯାହା ଘଟିବାର ଥିଲା ବୋଲି ଘଟୁଛି
କଂକ୍ରିଟ ଜୀବନଟା
ପ୍ଲାଷ୍ଟିକ ହସ ହସୁଛି ।