STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ସେଇ ପୁରୁଣା ସକାଳ

ସେଇ ପୁରୁଣା ସକାଳ

1 min
342

ସେମିତି କିଛି ଭିଡ଼ ନଥିଲା ସେ କଫି ସପ୍ ରେ

ଓ ମୁଁ ବସିଥିଲି ଝରକା ପାଖ ଚିହ୍ନା ଟେବୁଲ୍ ରେ

ଅନ୍ୟମନସ୍କ ହୋଇ ବାହାରକୁ ଚାହିଁ

କୃଷ୍ଣଚୂଡା ଗଛଟିର ସେ ବହଳ ରଙ୍ଗକୁ ଅନାଇ। 


ସତରେ ଜୀବନର ରଙ୍ଗ କଣ ଏତେ ବହଳ ହୋଇ ପାରେ !

ଭିତରୁ କେ କହୁଥିଲା, ହଁ କାହିଁକି ବା ନୁହେଁ

ଏଇତ ତୁ କେମିତି ମଜ୍ଜି ଅଛୁ ଦେଖ୍ 

ଗାଢ଼ ଅବସାଦର ଧୂସର ରଙ୍ଗରେ !


ଆରେ ସତେତ ! 

କଫି କପ୍ ଟା ଥଣ୍ଡା ହେଲାଣି କେତେବେଳୁ ମୋ ଅଜାଣତରେ

ଏତେବେଳେ ଯାଇ ନଜର ପଡ଼ିଲା ଯେବେ 

ଚମକି ପଡ଼ିଲି ସତେ କି ସେ ଚିହ୍ନା ମୋର ଅନେକ ଆଗରୁ !

ସେଇ ରଙ୍ଗ ସେଇ ବାସ୍ନା ଓ ସେଇ ଅନୁଭବ

ମନେ ପଡ଼ିଗଲା ମୋର ଆଉ ଏକ ଅଭୁଲା ସକାଳ

ଯାହା ଦିନେ ହଜିଥିଲା ସମୟର ଯାଦୁ ଚରଖାରେ। 


ଠିକ୍ ସେମିତି ସେଦିନ ଏ କୃଷ୍ଣ ଚୂଡା

ମନରେ ମୋ ଭରିଥିଲା କେତେ ସ୍ଵପ୍ନ କେତେ ରଙ୍ଗ ଛିଟା,

ଏକ ନିବିଡ଼ ବନ୍ଧୁତ୍ୱ ପରିପୁଷ୍ଟ ହେଉଥିଲା

ଧୀରେ ଧୀରେ କଫି କପ୍ ର ଧୁମ୍ର କୁଣ୍ଡଳୀରେ,

କିନ୍ତୁ ନିୟତିର ନିଷ୍ଠୁର ନିର୍ଦ୍ଦେଶେ

ସେଦିନର କଫି କପ୍ , ସକାଳ ଓ କୃଷ୍ଣଚୂଡା ସବୁ

ଅଟକି ଯାଇଥିଲେ ମୋ ସାଥେ ନ ଆସି 

ସେଇ ବନ୍ଧୁଟିର ଅଚାନକ ଏକ ଦୃଢ଼ ନିଷ୍ପତିରେ। 


ସତେ କଣ ଫେରିଲା ସେ ପୁରୁଣା ସକାଳ

ଶିହରି ଉଠିଲା ମୋର ମଥାରୁ ତଳିପା 

ଚିହ୍ନା ଏକ ଅସ୍ପଷ୍ଟ କିନ୍ତୁ ଗାଢ଼ ଆନନ୍ଦରେ,

ଖୋଜୁଥିଲି ତନ୍ନ ତନ୍ନ କରି କୋଣ ଅନୁକୋଣ

କାଳେ ସେ ଦେଖା ହେବେ 

ହେଉ ପଛେ ମୁହୂର୍ତ୍ତଟେ ପାଇଁ ରଙ୍ଗ ଟିକେ ମାଖିହେବି

ସାଉଣ୍ଟିବି ପୁଲକ କିଛି ଗତ ଅତୀତର ଆଜି ଏ ସକାଳେ। 



Rate this content
Log in

Similar oriya poem from Romance