ସେଇ ମତୁଆଲା ଗୋଲାପ
ସେଇ ମତୁଆଲା ଗୋଲାପ
ସମୁଦ୍ର କୁ ଦେଖି ମୁଁ ବିହ୍ଵଳିତ ହେଉଥିଲି
ହେଲେ ତାକୁ ଦେଖି ଯେ ବିହ୍ଵଳିତ ହେବି
ଏକଥା ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିଲି,
ତା' ସହ ପ୍ରଥମ ମିଳନରେ ଯେମିତି
ଅଟକି ଗଲା କୋଳାହଳମୟ ଜୀବନ,
ଶବ୍ଦମୟ ମୋ ପୃଥିବୀରେ ଧିରେ ଧିରେ
ନିଃଶବ୍ଦ ହୋଇ ଯାଉଥିଲା ହୃଦୟର ସ୍ପନ୍ଦନ ,
ରଙ୍ଗ ବଦଳାଇଲା ପ୍ରଣୟର ସାତ ରଙ୍ଗ
ମୋ ମନର ସିନ୍ଦୂରିତ ଦିଗବଳୟରେ
ମତୁଆଲା କଲା ମୋତେ ତା ହରିଣୀ ଆଖି
ସ୍ବପ୍ନ ଭରା ଫଗୁଣର ପ୍ରୀତି ବଗିଚାରେ ,
ସତେ ଯେପରି ସେ ମତୁଆଲା ଗୋଲାପଟେ
ବାରମ୍ବାର ସମ୍ମୋହିତ କରୁଥିଲା ମୋତେ ଯିଏ
ତା' ସେଇ ସୁବାସିତ ମଧୁଝରା ମହକରେ ,
କୋଇଲିର କୁହୁ କୁହୁ ଶବ୍ଦ ବି ଆକର୍ଷିତ କରି
ମନକୁ ମୋ ମୋହି ପାରୁ ନଥିଲା ସେମୂହୁର୍ତ୍ତେ,
ତା' ସ୍ବରକୁ ଏ କାନେ ଥରେ ଶୁଣି ଦେଲା ପରେ ,
ହଁ ସେ ଥିଲା ଚନ୍ଦ୍ରଭାଗା ତୀରେ
ବୋଧହୁଏ କେଉଁ ଅଭିଶପ୍ତ ପାଷାଣୀ କନ୍ୟା
ହଠାତ୍ ଉଭା ହୋଇଥିଲା ଯେ ମୋ ସମ୍ମୁଖରେ,
ମୋ ମନକୁ ଛୁଇଁ ମତୁଆଲା କଲା
ପୁଣି ପ୍ରୀତିର ପ୍ରଦୀପ ହୃଦୟେ ଜଳାଇ ଦେଖୁ ଦେଖୁ
କେଜାଣି କୁଆଡେ ହଜିଗଲା ସେଇ ବେଳାଭୂମିରେ।