ସେଇ ଲାଲ ଜହ୍ନ
ସେଇ ଲାଲ ଜହ୍ନ
ପୂରୁବ ଆକାଶ ବୁକୁକୁ ଫଟାଇ
ଆସୁଛି ଲାଲ ଜହ୍ନ,
କେଡେ ଯେ ସୁନ୍ଦର ଦିଶିଲାଣି ଦେଖ
ମୋହି ନେବ ଆମ ମନ l
କଳା କିଟିକିଟି ଏ ରାତ୍ର ସମୟେ
ଢାଳିବକି ତାର ଶୀତଳତା,
ଝଲସି ଉଠିବ ଏହି ରାତି ଆଜି
ଭାଙ୍ଗି ତାର ସବୁ ନୀରବତା l
ଲାଲ ଟୁକୁଟୁକୁ ରୂପେ ଆଜି ସିଏ
ଦିଶେ ଆହା କେଡେ ସୁନ୍ଦର,
କଳା ବାଦଲ ଘେରେ ତାହା
ଲାଗଇ ଭାରି ମନୋହର l
କିଣିବକି ଆଜି ଜହ୍ନ ଆମ ମନ
ଦେଇ ତା ଶୀତଳ କିରଣେ,
ପରଷିବ ଆଜି ତାର ସବୁକିଛି
ବାଣ୍ଟି ଖୁସି ସଭିଙ୍କ ପରାଣେ l
ବିଞ୍ଚି ଦେ ତୋର ସ୍ନେହ କିରଣକୁ
ସିଞ୍ଚି ଦେ ତୋର ଉଦାରତା,
ଏ ବିପଦ ସମୟେ ସାହା ହେବୁ ଟିକେ
କରିବୁ ନାହିଁ ତୁ କୃପଣତା l
ନିସ୍ତବ୍ଧ ଏହି ରାତ୍ରିର କୋଳେ
ଝିଙ୍କାରିର ଶବ୍ଦ ଶୁଭିଲାଣି,
ମିଞ୍ଜି ମିଞ୍ଜି ତାରା ଜଳୁଛନ୍ତି ଦେଖ
ଆକାଶେ ବାଦଲ ଓଢଣୀ ଟାଣିଲାଣି l
ଶୁଭୁନାହିଁ ଆଉ ଗାଁ କୋଳାହଳ
ନିଦ୍ରାଦେବୀ ପ୍ରବେଶ କଲେଣି,
ସଭିଏଁ ନିଜର କାର୍ଯ୍ୟକ୍ରମ ସାରି
ଶୟନ ଶେଯକୁ ଲେଉଟିଲେଣି l
ସମୟ ସ୍ରୋତରେ ରୂପ ବର୍ତ୍ତନ
ଧୀରେ ଧୀରେ ହେଇ ଆସୁଛି,
ଲାଲ ବର୍ଣ୍ଣରୁ ସେତ ଶ୍ୱେତ ବର୍ଣ୍ଣ ହେଲା
ଏକ ପ୍ରତିଛବି ସେଠି ଦିଶୁଛି ।