କେବେ ଯିବ ଏ କରୋନା
କେବେ ଯିବ ଏ କରୋନା
ବରଷେ ପୂରିକି ଦୁଇ ମାସ ହେଲା
ଯାଉନାହିଁ ଏ ଧରା ଛାଡିକି,
ଭାବୁଛି ବୋଧେ ତା' ସଂସାର ବାନ୍ଧିବ
ଏ ମଣିଷ ସଂସାର ଭାଙ୍ଗିକି ।
ଯିବ ଯିବ ବୋଲି ଏତେ ଦିନ ହେଲା
କାୟା ତା' ବିସ୍ତାର କରୁଛି,
କେତେ ଦୁଃଖ କଷ୍ଟ ଦେଇ ଚାଲୁଛି ଯେ
ଦୟା ଭାବ ତା' ଭୁଲି ଯାଉଛି ।
ଏ ମାନବ ଜୀବନ ହେଲା ଏବେ କ୍ଷଣ
ପ୍ରତିକ୍ଷଣେ ସେ ଏବେ ମରୁଛି,
ଭଙ୍ଗା ଘଟରୁ ପାଣି ବୋହିଗଲା ପରି
ଆୟୁ ତା' ସରି ସରି ଯାଉଛି ।
ଦେଖୁନି ସେ ସୁଖ, ଦେଉଅଛି ଦୁଃଖ
ଅଜଣା କେବେ ସେ ଯିବରେ,
ସମୟ ସ୍ରୋତରେ ସଭିଙ୍କ ଜୀବନ
ବାହି ନେଉଛି ତା' କାନ୍ଧରେ ।
ଦେଶରୁ ରାଜ୍ୟକୁ, ରାଜ୍ୟ ସହରକୁ
ବ୍ୟାପି ବ୍ୟାପି ସେ ଗଲାଣି,
ସେଥିରେ ତା' ଭୋକ ମେଣ୍ଟିଲାନି ବୋଲି
ଗାଁକୁ ବି ସେ ଆଉ ଛାଡ଼ୁନି ।
ଏତେ ଦିନ ହେଲା ଏକ ବର୍ଷ ହେଲା
କେବେ ଯିବରେ ଏ କରୋନା,
ଥକି ସାରିଲାଣି ବିଜ୍ଞାନ ତ ଏଠି
ଭାକ୍ସିନକୁ ସେ ଆଉ ମାନେନା ।
ଉଜାଡି ଦେଲା ଆମ ଶିକ୍ଷା ବ୍ୟବସ୍ଥାକୁ
ଛଡାଇ ନେଲା ଆମ ଜୀବିକା,
ଜିଇଁବାର ସବୁ ରାସ୍ତା ବନ୍ଦ କରି
କି ସୁଖ ପାଉଛି କରୋନା ।
କୁଢ଼ କୁଢ଼ ଶବ ଗଦା ଯେ ହେଲାଣି
ଶବ ଦାହ ପାଇଁ ଜାଗା କେଉଁଠି,
ଜୀବନକୁ ସେତ ନର୍କ କରିଲାଣି
ବଂଚିବାର ରାହା ମଲାଣି ।