STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ସେଇ କିଛି କ୍ଷଣ

ସେଇ କିଛି କ୍ଷଣ

1 min
120

ସେଇ କିଛି କ୍ଷଣ ଜୀବନର ଛିଟା

କେଜାଣି କେମିତି ଅଛି

ଆଜିଯାଏଁ ମୋ ଚିଦାକାଶେ ଲେଖା

ନରମ ଖରାଟିଏ ଉତୁରି ଆସିଥିଲା

ମୋ ମେଘ ସବୁ ଆଡେ଼ଇ ଆଡେ଼ଇ

ଦିଗନ୍ତର ଅଚିହ୍ନା ସହରୁ

ଖୁସିର ଚକୋଲେଟ୍ ଟିଏ ଧରି। 


ମୋ ପାଖରେ ଥିବା ନଥିଲାପଣଟା

ପୁରି ଉଠିଥିଲା କିଛି ସଲ୍ଲଜ ଆସବାବରେ

ଓ ଗୋଟିଏ ସମ୍ଭ୍ରମ କଳିକାଟିଏ ଫୁଟି ଆସୁଥିଲା

ଆୟୁଷ ହରାଉଥିବା ଅପରାହ୍ନର ଶେଷ ପାହାଚରେ। 


କଫିକପ୍ ର ବାଦାମୀ ପୃଷ୍ଠରେ

ଚକ୍ ଚକ୍ କରୁଥିଲା ଚେହେରାଟିଏ

ଓଠ ଚାପି ଆଖିରେ ସେ କହୁଥିଲା ନିଶବ୍ଦ କାହାଣୀ

ଏକ ନିଶ୍ୱାସର କବିତାଟିଏ ଜଡେଇ ଧରିଥିଲା ମୋତେ

ଆଉ ମୁଁ ଛନ୍ଦି ହୋଇ ସେ ଶବ୍ଦଜାଲର ମଧୁ ମହକରେ

ଗାଉଥିଲି ମନେ ମନେ 

ଏକ ଉଲ୍ଲାସ ଭରା ବିମୁଗ୍ଧ ରାଗିଣୀ। 


ସମୟର ଫୁ' ରେ ବା କେ ରହିଛି ନା ରହିଥିବ ସଦା

କି ଲାଭ ବି ଘଟଣାର ଚକ୍ରବ୍ୟୁହେ ଅଭିମନ୍ୟୁ ସାଜି

ବାସ୍ ଯାହା ହେବ ହେବ ନିଶାରେ ମୁଁ 

କରିଥିଲି ଆତ୍ମ ସମର୍ପଣ ସମୟ ଆଗରେ

ଏକ ହାରିବାର ଅବଶୋଷ ନେଇ 

ମୁଁ ଆଦରି ନେଇଥିଲି ନିୟତିକୁ

ମୋ ଜୀବନର ପ୍ରାପ୍ୟ ଟିଏ ବୋଲି। 


ତଥାପି ସେ କିଛି କ୍ଷଣ

ଚେଇଁ ଉଠେ କେବେ କେବେ ଦେଖିଦେଲେ

କଁଅଳିଆ ଖରା, ନୂଆଁଣିଆ ଗୋଧୂଳି

ଓ କଫିକପର ମନ ହଜା ବାସ୍ନା,

ମୁଁ ଧାଇଁ ଯାଏ ଅତୀତକୁ

ଗୋଟେ ଢୋକ ନେବାକୁ ସେ ଉଷ୍ମ ପାନୀୟରୁ

ସମୟଠୁ ଚୋରାଇ ନେବାକୁ ତା ପୁରୁଣା ଆୟୁଷ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance