ସେଇ ଝିଅଟି
ସେଇ ଝିଅଟି
ନଈ ଆରପାରେ ଅଳସୀ ଫୁଲ କ୍ଷେତରେ
ନଇଁପଡ଼ିଥିଲା ସେଇ ଝିଅଟି
ଅଣ୍ଟିରେ ମୁଢି, ଶରୀର ଗୁଡେଇ ଶାଢ଼ୀ
ପକ୍ଷୀ ଦେଖୁଛି, ଉଡିଗଲେ ଗେଣ୍ଡାଳିଆ ବୋଲୁଛି
ମାଆ ଆକଟି କହେ ସଅଳ କର ପାଇଟି
ସୂର୍ଯ୍ୟ ଢାଳୁଛନ୍ତି ତାତି ସ୍ବପ୍ନ ତା ଦିନ ରାତି
ସ୍କୁଲ ଯାଇ ପଢନ୍ତା ବଢନ୍ତା ଶିଖନ୍ତା
ଦୁନିଆଁ କମଳା ଲେମ୍ଭୁ ପରି ଗୋଲ କେଉଁଠି?
ବହୁତ କଥା ସେ ଜାଣିଛି ମଶାରି ଟାଙ୍ଗି ଶୋଉଛି
ବାବୁଘର ଟିଭି ଆକର୍ଷଣ ତାକୁ ଗୁରୁଭକ୍ତି ଶିଖାଇଛି
କର୍ତ୍ତବ୍ୟ ପାଳୁଛି ଅବୁଝା ଆଖିରେ ପ୍ରକୃତି ସହିତ
ଖେଳ କୌତୁକ ଲଗାଇଛି
ଗୋଡ଼ରେ ଦା ବାଜି କଷ୍ଟ ପିଠିରେ ଡ଼ାଳ ବାଜି ସ୍ପଷ୍ଟ
ଯନ୍ତ୍ରଣା ମାଆ ବୁଝିଛି, ବିଲ ବଣ ନଈ ନାଳ
ଆକାଶରେ ତାରା ମିଟିମିଟି
ମାଆ କହେ ମାଣ୍ଡିଆ ଖାଇ ଶୋଇପଡ ଏଠି
ସକାଳୁ ପାରିବୁତ ଉଠି
ମାଟି ଛାତିରେ ଆମ କାମ କରି
ଜୀବନର ନାଟ ହାଟ ବାଟ
ଝିଅଟି ସ୍ୱପ୍ନରେ ସାଉଣ୍ଟେ ଖଡ଼ି ସିଲଟ ଗୋଟି
ଆଶାବରୀ ମାଟିରେ ଆଶା ଫୁଲ ସାଉଁଟି
ଜୀବନ ମାନେ ବୁଝିବାକୁ ପ୍ରକୃତିକୁ ଚାହେଁ ଲେଉଟି
ମାଆ କହେ ବେଗି ବେଗି ପାଦ ପକା ଝିଅ
ଜୀବନ ଆରମ୍ଭ ଓ ଶେଷ ଏଇଠି
ଅବୁଝା ଆଖିରେ ମାକୁ ଚାହେଁ ଝିଅଟି ।
