STORYMIRROR

Chinmaya Kumar Nayak

Abstract Romance Tragedy

3  

Chinmaya Kumar Nayak

Abstract Romance Tragedy

ସେଇ ଦୁର୍ଘଟଣା ପରେ

ସେଇ ଦୁର୍ଘଟଣା ପରେ

2 mins
229

ସେଇ ଦୁର୍ଘଟଣା ପରେ ଘୋଟିଯାଇଥିଲା

କେମିତି ଏକ ଘନ ତମିସ୍ରାର ଘୋର ଧୂମ୍ର ମରୀଚିକା

ବିସ୍ମୃତିର ଏକ ଅଜ୍ଞାତବାସରେ

ସମୟ ପାଲଟିଥିଲା ଏକ ଅଚିହ୍ନା ଅତିଥିଟିଏ

ଜୀବନ ବହିଚାଲିଥିଲା ଏକ ଭ୍ରମିତ ସ୍ରୋତସ୍ୱିନୀ ପରି

ନିୟତିର ସଘନ ବନରେ ଚୁପଚାପ ସବୁରି ଅଲକ୍ଷରେ।


ଦୀର୍ଘ ଦିନ ପରେ ଏକ ଯୁଗର ଅବସାନ ପରେ

ପୁନର୍ଜନ୍ମ ଲାଭ କଲା ପରି ମୁଁ ଫେରି ପାଇଥିଲି

ହଜିଯାଇଥିବା ସେ ମଧୁବୋଳା ସ୍ମୃତି ସବୁକୁ

ଅବଚେତନରେ ସାଇତା ଥିବା ସେ ଚିଟାଉ ଭିତରୁ। 


ଝଲସି ଯାଇଥିଲା ନୟନ ସମ୍ମୁଖେ ମୋର

ଅନେକ ମଧୁବୋଳା ଶ୍ରାବଣ, ଫଗୁଣ ଆଉ ପାହାନ୍ତିଆ ଶୀତ

ସେ ନଈପଠା ଚାଖୁଣ୍ଡା ଶିଅରେ

କେତେ ଚିତ୍ତଚୋରା ମନ ମତାଣିଆ ଗୀତ

ସେଇ ଢଳ ଢଳ ଆଖିର ଚୋରା ଚାହାଣୀରେ

ହଜି ଯାଉଥିବା ପ୍ରଣୟ ବିଭୋର ସମ୍ମୋହିତ ଏକ ଚିତ୍ତ। 


ସୋରିଷ କ୍ଷେତରେ ଉଡ଼ି ବୁଲୁଥିବା

ସେ ଚଞ୍ଚଳା ଚପଳା ରଙ୍ଗୀନ ଏକ ମୁକ୍ତ ପ୍ରଜାପତିଟିଏ

କେବେ ଧରାଦିଏ କେବେ ଦୂରେ ଯାଏ ପୁଣି

ସେ ତା ନିଜ ଆକାଂକ୍ଷାର ନିଜେ ହିଁ ଶାସିକାଟିଏ

ତା ଅବୁଝା କଥାରେ ହଜିଯାଏ କେତେ

ବିଷାଦର ଶତ ଇତିହାସ ଏ ବୁକୁରୁ

ସେ ନିର୍ଜନ ମୁହୂର୍ତ୍ତେ ବିଷୁବ୍ଧ ଚିତ୍ତରେ ଖିଲି ଖିଲି ହସଟିଏ।


କଳ୍ପନା ନୟନ କ୍ଳାନ୍ତ ହେଲା ପରେ

ଆଖି ମୋ ଖୋଜିଲା ପାଗଳ ପରାୟେ

ସେଇ ଅର୍ଦ୍ଧ ନିମୀଳିତ କମ୍ପିତ ଅଧର ମୁଖ

ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲି

କାହିଁ ଗଲା ମୋର ପ୍ରାଣ ପ୍ରୟତମା

କିନ୍ତୁ ଉତ୍ତର ବିହୁନେ ସର୍ବେ ଥିଲେ ନତମୁଖ।


ଆଖିକୋଣୁ ମୋର ଝରିଯାଉଥିଲା ଅବିରତ ଆଶ୍ରୁଧାର

ଭାଙ୍ଗି ଯାଉଥିଲା ଖଣ୍ଡ ଖଣ୍ଡ ହୋଇ ଅବୁଝା ହୃଦୟ ମୋର

ଧୀରେ ଧୀରେ ଯେବେ ଅବଗତ ହେଲି

ସେଦିନର ସେଇ କାଳ ଦିବସର ଗାଥା

ଜୀବନ ପ୍ରଦୀପ ଅସ୍ଥିର ମୋ ହୁଏ

କେଉଁ ଆଶା ନେଇ ବଞ୍ଚିବି ତା ଭାବି ଘୁରି ଯାଉଥିଲା ମଥା

ତଡ଼ିତ ପ୍ରବାହ ସ୍ଥିର ହୋଇଯାଏ ଜୀବନଟା ଲାଗେ ଭାର। 


ସେଦିନର ସେଇ ଦୁର୍ଘଟଣା ମୋତେ ଏମିତି ଲୁଟିବ ବୋଲି

ଜାଣିଥିଲେ ଘର ଏରୁଣ୍ଡି ଭିତରେ କାଟିଦେଇଥାନ୍ତି କଳ୍ପ

ଜୀବନ ଏମିତି ଲେଖି ବି ନଥାନ୍ତା ଛଳନାର ମଲା ଗଳ୍ପ

ଏମିତି ମୋ ସାଥୀ ମୋତେ ଅଧାବାଟେ ଛାଡ଼ି

କେଉଁ ଅଫେରା ରାଇଜେ ଗଲା

ମୁଁ ଦୋଷୀଟିଏ ପରି ନ୍ୟାୟ କୋଠରୀରେ

ନିଜକୁ କି ଦେବି ଦଣ୍ଡ ଆଜି ଭାଳେ ଖୋଜିବସେ ମୁଁ ବିକଳ୍ପ। 


କେଜାଣି କି ଲାଭ ପାଇଲା ମୋ ସାଥେ ଏପରି ଛଳନା କରି

ଶମନ ସହିତ ସନ୍ଧି କରି ଶେଷେ ଦେଲା ମୋତେ ପର କରି

ମୁଁ ଶୋଇଥିଲି କେଇ ଦିନ ପାଇଁ ସେ ଗଲା ଏ ଦୁନିଆ ଛାଡି

ମୋ ଭାଗର କେଉଁ ଯାତନା କି ଥିଲା

ନିୟତିର କେଉଁ ଯୋଜନା ଏ ଭଲା

ମୋତେ କାହିଁ ସାଥି କଲା ନାହିଁ ମୁଁ ଦେବି ତୁଛା ପ୍ରାଣ ହାରି। 


ସହସା ଏକ ସ୍ନିଗ୍ଧ ଜ୍ୟୋତିଃ ଧାର ଗବାକ୍ଷରୁ ଆସେ ଭାସି

ସୃଷ୍ଟି ହୁଏ ଏକ ତେଜସ୍ୱୀ ଅବୟବଟିଏ

ଅବିକଳ ସେ ମୋ ଜୀବନ ନାୟିକା ପରି

ହାସ୍ୟମୟୀ, ଲାସ୍ୟମୟୀ ଓ ପ୍ରେମର ମୁରତିଟିଏ,

ମୁଁ ଧାଇଁଯାଏ ତାକୁ କୋଳେଇ ନେବାକୁ

ଫେରିପାଇଛି କି ମୋ ହଜିଲା ହୃଦୟ ନିଧି

ସେଇ ମଧୁସ୍ୱନେ ଭାସିଆସିଲା ତା ହୃଦତନ୍ତ୍ରୀ-ଥରା ସ୍ୱର

ମୁଁ ସମ୍ମୋହିତେ ସତେ ଶିଳା ପାଲଟିଲି

ବିସ୍ଫାରିତ ମୋର ନୟନ ଯୋଡ଼ିକ ରହିଗଲା ହୋଇ ସ୍ଥିର। 


ଆମେ ଦୁହେଁ ପରା ନିର୍ଜୀବ କଣ୍ଢେଇ

ସୂତ୍ର ତାର ସେଇ ଉର୍ଦ୍ଧ୍ୱେ ଥିବା ଈଶ୍ୱରଙ୍କ ସିଦ୍ଧହସ୍ତେ

ମୁଁ ଚାଲିଗଲି ତାଙ୍କ ନିର୍ଦ୍ଦେଶରେ

ତୁମେ ତୁମ ବାକି ଜୀବନ ଜୀଇଁବ ତୁମ ଭାଗ ଶେଷ ଯାଏଁ

କଥା ଦେଉଛି ମୁଁ ସଦା ଥିବି ତୁମ ହୃଦୟକୁ ଆଶ୍ରା କରି

ରହିଛି ମୁଁ ତୁମ ପ୍ରତୀକ୍ଷାରେ ଏଠି ତୁମ ଫେରିବାର ଆଶା ଧରି।

ଉଭେଇଗଲା ସେ ଜ୍ୟୋତିର୍ମୟୀ କାହିଁ

ମୁଁ ଆତୁର ହୋଇ ଏଣେତେଣେ ଥାଏ ଚାହିଁ

ତଳେ ପଡ଼ିଥିଲା ଗୋଲାପ କଢ଼ିଟେ ସାଉଁଟି ଆଣି ତ୍ୱରିତେ

ଜୀବନର ଏକ ମୂଲ୍ୟବୋଧ ମିଳିଗଲା ବୋଧେ ମୋତେ

ସେଇ ମଧୁଝରା ସ୍ମୃତିଭିଜା ଦିନଗୁଡ଼ିକୁ 

ଆଙ୍କିଚାଲେ ମୋ ଲେଖନୀ ମୁନରେ ଜୀବନ୍ତ ପ୍ରତିମା କରି

ଜୀବନର ଏକ ନବ ଅଧ୍ୟାୟର ଅରୁଣ ହେଲା ଉଦୟ

ବାତାୟନ ଫାଙ୍କେ ଦିଶିଯାଏ ଏକ ପଥଟିଏ ପ୍ରଭାମୟ।



Rate this content
Log in

Similar oriya poem from Abstract