ସେଦିନ ସଞ୍ଜ
ସେଦିନ ସଞ୍ଜ


ସାଥେ ତା ନଥିଲା ରାତିର ସାଜ
ଆଣି ଆସିଥିଲା ମୁହୂର୍ତ୍ତଟିଏ
ସ୍ମୃତିପଥାରୁଢ଼ ହୁଏ ହୃଦୟେ।
ଅନ୍ଧାର ପଛରେ ଥିଲା କାହାଣୀ
ସେ ସଞ୍ଜର ସଦା ରହିଛି ଋଣୀ।
ଦେଖା ହୋଇଥିଲା ଚପଳାଟିଏ
ପ୍ରିତୀ ଜାଗିଥିଲା ମୁଗ୍ଧ ପରାଏ।
ସଞ୍ଜ ବତୀ ଧରି ସଧିରେ ଚାଲେ
ମୁଖ ଆଲୋକିତ ଦୀପ ଉଜ୍ଜ୍ଵଳେ।
ମୁଣ୍ଡରେ ଓଢଣୀ ସ୍ନିଗ୍ଧ ଚାହାଣି
କେଜାଣି ମୋତେ ସେ କଲା କି ଗୁଣି।
ଛପିଗଲା ସେଇ ମୋହିତ ଚିତ୍ର
ବନ୍ଧ ଭାଙ୍ଗୁଥାଏ ମୋର ଚରିତ୍ର।
ପୂର୍ଣ୍ଣିମା ଆକାଶେ ଚାନ୍ଦ କି ସତେ
ଉଇଁ ଆସୁଥିଲା ନିର୍ମୋହି ଚିତ୍ତେ।
ଆକାଶରୁ ତାରା ବରଷୁ ଥିଲା
ସେଦିନ ସଞ୍ଜରେ କି ମାୟା ଥିଲା।
ସେଇ ସଞ୍ଜବତୀ ଆଜି ବି ଜଳେ
ନିତି ମୋ ଅଗଣା ଚଉରା ମୂଳେ।