STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ସେ ତ ଭକତ ଭାବରେ ବନ୍ଧା

ସେ ତ ଭକତ ଭାବରେ ବନ୍ଧା

1 min
155


ସେ ତ ଭକତ ଭାବରେ ବନ୍ଧା,

ସେ ତ ଭକତ ମନରେ ଛନ୍ଦା,

ସେ ତ ରାତିରେ,

     ଭକତ ର ରଜନୀଗନ୍ଧା,

ସେ ତ ଦିନରେ,

     ଭକତର ମଧୁଛନ୍ଦା।

ଭକତ ଭାବରେ ବାନ୍ଧି ହୋଇ,

ହେ ମୋର ପ୍ରଭୁ କଳା ଗୋସେଇଁ,

ଭକତର ଭାଵ ପାଇଁ,

   ଅଧା ବାଟରୁ ଭକତକୁ,

ଆଣୁ ତୁ ପ୍ରଭୁ ଫେରାଇ,

   ରଖି ଭକତ ଇଚ୍ଛାକୁ,

ଗଜାନନ ବେଶ ହେଉ ତୁହି।

ଭକତ ଭାବରେ ବାନ୍ଧି ହୋଇ,

ଆହେ ମୋର କଳା ଗୋସେଇଁ,

ଶୁଣି ନପାରୁ ଭକ୍ତର ଆର୍ତ୍ତ ଚିତ୍କାର,

ତେଣୁ ପ୍ରଭୁ ସହି ନ ପାରି ଠାକୁର,

ଚକ୍ର ପେଶୀ କରିଲୁ ନକ୍ର ନାଶ,

ଉଦ୍ଧରିଲୁ ସେ ଭକତ ଗଜରାଜ।

ଭକତ ଭାବରେ ବାନ୍ଧି ହୋଇ,

ଆହେ ମୋର କଳା ଗୋସେଇଁ,

ମଉଲା ପଦ୍ମ ଧରି ଆସିଲେ ରଘୁବୀର ଦାସ,

ଭକତ ପ୍ରେମେ ହୋଇ ବନ୍ଧା ତୁ ଜଗତନାଥ,

ସେ ମଉଲା ପଦୁଅଁକୁ ଖୁସିରେ ନାଇଁ,

ହେଉ ପଦ୍ମ ବେଶ,ହେଉ ପଦ୍ମ ବେଶ।

କେବେ ଭକତ ଭାବରେ ବନ୍ଧା ହୋଇ,

ବଡ଼ ଦାଣ୍ଡେ ରଥ ଦେଉ ଯେ ଅଟକାଇ,

ପୁଣି କେବେ ଭକତର ଭାଵ ପାଇଁ,

ବାଲି ରଥେ ହୋଇଯାଉ ବିଜେ ତୁହି ।

ଭକତର ରକ୍ଷା କରିବା ପାଇଁ ମାନ,

କେବେ ତୁ କରୁ ପୁଣି କାଞ୍ଚି ଅଭିଯାନ,

କେବେ ପୁଣି ଭକତର ଶୁଣି ଆର୍ତ୍ତ ନିବେଦନ,

କୋଟି ବସ୍ତ୍ର ଦେଇ କରୁ ସଭାରେ ତା ଲଜ୍ୟା ନିବାରଣ।

ତୁ ତ ଭକତ ଭାବରେ ହେଉ ବନ୍ଧା,

  ତୁ ତ ଭକତ ଜୀଵନ ଧନ,

ତୋ ସହ ଭାବରେ ଭକତ ହୁଏ ଛନ୍ଦା,

 ଭକତ ଭକତି ତୋ ଗଣ୍ଠିଲିଧନ।

ଭକତ ତୋ ପାଇଁ ରତନ ହାର,

ଭକତ ଯେ ହୃଦ ଚନ୍ଦନ ତୋର,

ହେଲେ ମୁଁ ବି ତୋର ଏକ ଭକତ,

ତଥାପି କାହିଁକି ମୁଁ ଏତେ ଦୁଃଖିତ।

କାହିଁକି ମୋ ଡାକ ଶୁଣେ ନାହିଁ ତୋ ଦୁଇ କାନ,

କାହିଁକି ମୋ ବେଦନା ଦେଖେ ନାହିଁ ତୋ ନୟନ,

ତୁ ତ ଭକତ ଭାବରେ ବାନ୍ଧି ହୋଇ ଥାଉ,

ହେଲେ ମୋ ବେଳକୁ କାହିଁକି ଦୂର ହୋଇ ଯାଉ।

ହେ ପ୍ରଭୁ ଏ ଦୁଃଖୀ ଭକତର ଭକତି ସ୍ୱୀକାର କର,

ଏ ଭଵ ସାଗରରୁ ବାରେ ମତେ ପ୍ରଭୁ ଉଦ୍ଧର,

ତୋ ଗୁଣ ଗାଇ ଗାଇ ଏ ଜୀବ ଚାଲି ଯାଉ,

ଏ ଭକତର ଏତିକି ପ୍ରାର୍ଥନା ରଖ ମହାବାହୁ,ରଖ ମହାବାହୁ।



Rate this content
Log in

Similar oriya poem from Classics