ସେ କିଏ
ସେ କିଏ
ଏଇ ଦୁନିଆଁରେ ଜିଇଁବାର
ବାଟ ତ ଅନେକ
କେବେ ଅନ୍ଧାର ଅଙ୍କାବଙ୍କା
ପ୍ରଶସ୍ତ ପୁଣି ଲକ୍ଷହୀନ
ସପ୍ନ ତ ଦୁଃସ୍ୱପ୍ନ ପାଲଟେ
ପ୍ରତ୍ୟେକ ମୁହୂର୍ତ୍ତରେ ।
ମଣିଷ ବଞ୍ଚିବ ବି କିଆଁ
ଯୋଉଠି ଦାନ ବଦଳରେ
ମିଳେ ସଦା ପ୍ରବଞ୍ଚନା
ପଥହୁଡ଼ା ହୋଇ
ପଥର ଛାତିରେ ଅର୍ଦଳି କରେ
ସ୍ନେହର ଆଶାରେ ।
ଅଳିଆ ଗଦାର ସେଇ
ସର୍ତ୍ତହୀନ ସମ୍ପର୍କ ମଧ୍ୟରେ
ଚଳିବା ମୁସ୍କିଲ
ଏଠି ଧୋକା ବି ସସ୍ତା
ମିଳେ ବସ୍ତା ବସ୍ତା
ତାହା ବିନା ବଇନାରେ ।
କେବଳ ଦେଇ ଦେଇ
ଖାଲି ହୁଏ ତାର ପଣତ
ଲୁଣ୍ଠିତ ହୁଏ ଆପଣା
ଗଳିରେ ପୁଣି ଭିଡ଼ରେ
ଅସଫଳ ସାଜେ ଘୃଣ୍ୟ ପତିତା
ପ୍ରତ୍ୟେକ ମୁହୂର୍ତ୍ତରେ ।
ଏଠି ରହିବ କାହା ସାଥେ
ଜୀଇଁବ ବା କିଆଁ
ବାପ ଘରେ ପରଧନ
ଶାଶୁଘରେ ପରଝିଅ
ହଜି ଯାଏ ତାର ଠିକଣା
ଅନ୍ୟମନସ୍କତାରେ ।
ଧନ୍ୟ ସେ ଦୁନିଆଁ
ପୁଣି ଧନ୍ୟ ସେ ଭବ ନଇ
ନାବ ଗଢ଼ିବା ବାଲା
ବିନା ନାଉରୀରେ ବସେଇ
ତା ହାତରୁ ଛାଡ଼ିଦିଏ
ଅକାଳରେ ଗଣ୍ଡ ଗଭୀରରେ ।
ବିନା ଲକ୍ଷରେ କି କେବେ କିଏ
ପାରିହୁଏ ଏ ଭବ ସାଗର
ଢେଉର ଫେରାଲେଉଟା ମାଡ଼ରେ
ଟିକ୍ ଟିକ୍ ହୋଇ ବିଞ୍ଚିହୁଏ
ତାର ସ୍ବପ୍ନ ସମସ୍ତ ଶରୀର
କିଟିମିଟି ଅନ୍ଧାର ମୁଲକରେ ।