ସେ କ'ଣ ସତରେ ବଞ୍ଚିଛି?
ସେ କ'ଣ ସତରେ ବଞ୍ଚିଛି?


ସେ କାଳେ ଦେବୀ
ଯେମିତି ଦେବାଳୟରେ ସେମିତି
ଘରେ, ହାଟରେ ବାଟରେ ଚତୁର୍ଦ୍ଦିଗରେ
ପୂଜା ପାଏ ମନ୍ଦିରରେ, ଆଉ ସମାଜରେ
ଖିନ୍ ଭିନ୍ କରି ଖାଏ ତାକୁ
ଦୁଷ୍ଟ ଅସୁର ତା'ର ମୁନିଆଁ ନଖରେ।
ସେ କାଳେ ପୁରୁଷ ସହ ସମାନ
ସବୁଥିରେ ସବୁ କ୍ଷେତ୍ରରେ
ସେଥିପାଇଁ ବୋଧେ ସେ ତିଆରେ
ସୁରକ୍ଷାର ଖୋଳପାଟିଏ
ସ୍ଵପ୍ନ ତା'ର ଚୁର୍ ମାର୍ ନ ହେଉ ବୋଲି
ରକ୍ତମୁଖା ମଣିଷର ଲୋଲୁପ ଦୃଷ୍ଟିରେ।
ସେ କାଳେ ସର୍ବସହା
ସହିଯାଏ ସବୁ କିଛି- ସୁଖରେ ଦୁଃଖରେ
ଭାବରେ ଅଭାବରେ, ଲୁହରେ ଲହୁରେ
ଓଠ ଚାପି ନୀରବି ଯାଏ କଷ୍ଟରେ
ବଞ୍ଚିବାର ବାହାନା କରେ
ସେ କ'ଣ ଜୀବନ ବଞ୍ଚିଛି ସତରେ?