କଣ୍ଢେଇ
କଣ୍ଢେଇ
ଶୁଖା କଣ୍ଢେଇଟେ ଦଇବ ହାତରେ
ନାହିଁ ତା'ର ଲାଭ ହାନି,
ଦଇବ ଦଉଡ଼ି ଯେଣିକି ଟାଣଇ
ଯିବ ସେ ସବୁକୁ ମାନି।
କେବେ ସେ ହସାଏ କେବେ ସେ କନ୍ଦାଏ
ହାତରେ ଦଉଡ଼ି ଧରି,
ହସ ହସ ମୁଖେ ଲୁହ ଭରେ କେବେ
ଅଦୃଶ୍ୟ ଶକତି ଭରି।
ସୁନା ସଂପର୍କଟା ହେଇଯାଏ ଚୂନା
ଫିକା ପଡ଼େ ସବୁ ସୁଖ,
ଦଇବ କବଳେ କଣ୍ଢେଇ ମଣିଷ
ପାଏ ପୁଣି ବାର ଦୁଃଖ।
ଚିହ୍ନେ ନାହିଁ କେହି ଦୁଃଖିଲା ମୁହଁକୁ
ହସ ସବୁରି ଜରୁରୀ,
ଆଜି ଯେ ନିଜର କାଲି ହୁଏ ପର
ସବୁ ସେନେହକୁ ଛାଡ଼ି।
ମଣିଷ କଣ୍ଢେଇ ଦଇବ ହାତରେ
ହୁଏ ଭାରି କଲବଲ,
ଉପରେ ହସଇ ମରମେ କାନ୍ଦଇ
ଛଳନା କୁ ମଣି ଭଲ।
