ସେ ଜାୟା ଜନନୀ ଭଗିନୀ
ସେ ଜାୟା ଜନନୀ ଭଗିନୀ
ସକଳ ଗୁଣଧାରିଣୀ ପ୍ରାଣ ବଲ୍ଲଭୀ ରମଣୀ
ପାଳନ କର୍ତ୍ତୀ ପୁଣି ନାମ ତା ଜନନୀ
ସ୍ନେହ ମମତା ଦାତ୍ରୀ ସେ ବୋଲାଏ ଭଗିନୀ
ଘରକୁ ସୁନ୍ଦର କରି ତୋଳି ପଦ ପାଏ ସେ ଘରଣୀ ।।
ପୁତ୍ର ଦୁହିତାକୁ ସମାନ ଦେଖଇ
ଦିଏ ପ୍ରୀତିକୁ ପ୍ରସାରି
ନିଜେ ନଖାଇ ବି ଛୁଆକୁ ବଞ୍ଚାଏ
କେ ସମ ହୁଏ ତା ପରି
ସହନଶୀଳା ସେ ଧରିତ୍ରୀଠୁ ବଳି
ପୁଜ୍ୟ ମୋର ସେ ଜନନୀ ।।
ହୃଦୟରୁ ନିତି ,ଭରିଦିଏ ପ୍ରିତି
ଅଜାଡି ଦିଏ ମମତା
ଭଗିନୀ ରୂପରେ ପୂଜା ପାଏ ସିଏ
ଅଟେ ସେ ଦ୍ୱିତୀୟ ମାତା
ଗୋଟିଏ ନାଭିରୁ ଜନମ ତାହାର
ଭାତା ପାଇଁ ଚିର ରଙ୍କୁଣୀ ।।
ନିଃସଙ୍ଗ ପ୍ରାଣରେ ସଙ୍ଗୀନୀଟେ ହୋଇ
ପାଦେପାଦେ ହୁଏ ଠିଆ
ବିଦ୍ରୋହରେ ମନ୍ତ୍ରୀ ବୁଦ୍ଧିକୁ ଦିଅଇ
ବୋଲାଏ ସେ ପ୍ରାଣପ୍ରିୟା
ପତି ତାହା ପାଇଁ ସ୍ୱର୍ଗର ଦେବତା
ସେ ତ ଚାରି ଫଳ ପ୍ରଦାୟିନୀ।।
ନାରୀ ତ ନୁହଁଇ ଅବଳା ଦୂର୍ବଳା
ସେ ଅଟନ୍ତି ବାରଭୂଜା
ସଂସାର ତା ବିନୁ କ୍ଷଣେ ଚାଲେ ନାହିଁ
ସବୁ କ୍ଷେତ୍ରେ ସିଏ ଖୋଜା
ତାର ପାଦସ୍ପର୍ଶେ ମଙ୍ଗଳ ହୁଅଇ
ସେ ଜାୟା ଜନନୀ ଭଗିନୀ ।।