STORYMIRROR

Ajaya Mahala

Romance Tragedy

4  

Ajaya Mahala

Romance Tragedy

ସେ ବି ତ ଭଲ ପାଏ ତୁମକୁ

ସେ ବି ତ ଭଲ ପାଏ ତୁମକୁ

2 mins
436


କି ଉଦ୍ଭଟ କଳ୍ପନା ତମର !

ଭଲ ପାଇବାଟା ଯଦି କିଣି ହେଉଥାନ୍ତା

ମୋ ସବୁ ଭଲ ପାଇବାକୁ 

କିଣି ନେଇ ବନ୍ଦ କରି ଦିଅନ୍ତ

ଗୋଟିଏ ଟିଣ ଡବାରେ 


ପାଖରେ ଆଉ କେଉଁ ନାରୀ ଆତ୍ମା ଦେଖି

ତୁମେ ତୁଳନା ବି କରି ବସ

ସିଏ ମୋଟୀ କି ତନୁପାତଳୀ

ସିଏ ଜ୍ଞାନୀ ବା ବିଦୁଷି

ସେ କିପରି ହସେ ମନ ଲୋଭାଇଲା

ମନମୋହିନୀର ହସ


ହାୱାରେ ଆଗକୁ ଘୋର ବିପର୍ଯ୍ୟୟ 

ଆଘ୍ରାଣ କରି

ମୁଁ ତୁମକୁ ମନେଇବାକୁ ଲାଗିଯାଏ-

 - ଛିଃ, ତମ ପରି କିଏ ହେବ ?

- ମିଛ !

- ତମ ବୁଦ୍ଧି କୁ କିଏ ସରି ହେବ ?

- ପୁରା ମିଛ !

ଶେଷରେ "ତମ ପରି କିଏ ଭଲ ପାଏ ମତେ?"

ପ୍ରଶ୍ନଟିର ଓଲଟ ଡଙ୍କ ମରା ଉତ୍ତର

"ସେ ବି ତ ଭଲ ପାଏ ତୁମକୁ ?"


ତାପରେ ତମ ପଟୁ 

ମତେ ନିରୁତ୍ସାହିତ କରିବାର ପ୍ରଚେଷ୍ଟା 

"କଣ ଦେଖି ତାକୁ ଭଲ ପାଇଥିଲ କେଜାଣି

ଦେଖିଛ ତା ପେଟ ତଳେ ନାଲି ଜାଇ ମନ୍ଦା

ତମେ ତାର ଅନ୍ୟରୂପ ଦେଖି ନାହଁ

ଜାଣିଛ ସେ କିପରି ଅଣ୍ଡିରୀ ଟି ପରି

ତା ବାପ ଭାଇଙ୍କ ସହ ଲଢ଼େ"


କେବେ ମୋ ବାସ୍ତବ ମୂଲ୍ୟ ନିର୍ଦ୍ଧାରଣ କରି

କଞ୍ଚା ଚିଠା ମୋ ଆଗରେ ରଖି ଦିଅ

"ତୁମେ ଯଦି ନିଜକୁ ବିକ୍ରି କରିବାର ଚେଷ୍ଟା କର!

କେହି କିଣନ୍ତେ ନାହିଁ ତୁମକୁ

କଉଡ଼ି ଟିଏ ମୂଲରେ

କିଏ ପଚାରନ୍ତା ମ ତୁମକୁ -

କେବଳ ମୁଁ ବୋଲି ଯାହା ଭଲପାଏ"


କେବେ ଅଦିନିଆ ମେଘ ପରି ପ୍ରଶ୍ନ ବର୍ଷା

ପ୍ରଚଣ୍ଡ ଜେରା କରି ଚାଲ ମତେ -

ସିଏ କିପରି "ଆପଣ" ନ କହି, "ତୁମେ" କରି 

ତୁମକୁ ଅନ୍ତରଙ୍ଗ ସମ୍ବୋଧନ କରିପାରେ?


ସିଏ କିପରି ଛତରୀଟି ପରି

ତୁମ ସହ ଖିଲି ଖିଲି ହସ ହସି ପାରେ ?


ସେ କିପରି ତୁମ ପସନ୍ଦ 

ଶିଉଳି ରଙ୍ଗର ଶାଢୀ ପିନ୍ଧେ?


କିଏ କହିଲା ତାକୁ ତୁମ ପସନ୍ଦ ରଙ୍ଗ ?


କିଏ ଦେଲା ଏହି ଅଧିକାର ତାକୁ

ତୁମ ନାଆଁର ପ୍ରଥମ ଅକ୍ଷର ରଖି

ହାତରେ ଚିତା କୁଟାଇବା ପାଇଁ ?


ତୁମ ଜନ୍ମଦିନ ସେ କାହିଁକି ମନେ ରଖେ?

ସେ କାହିଁକି ତୁମ ଲାଗି ବ୍ରତ ରଖେ ?

ସେ କାହିଁକି ତୁମ ଲାଗି ଲୁହ ଲୁହ 

ଆଉ ଝାଳ ଝାଳ ହୋଇଯାଏ?


ଥକା ଅପରାହ୍ନରେ 

ଚାଆ ପିଉ ପିଉ ପୁଣି କେବେ କରି ନିଅ

ଅନ୍ତିମ ସମୀକ୍ଷା - 

ଇଏ ବି କି ଜୀବନ

ଯେଉଁଠି ପ୍ରେମ ଟିକକ ପାଇଁ 

ଦୁନିଆଁ ସହ, ଆଉ ନିଜ ସହ ବି

ପ୍ରତିଯୋଗିତାର କେବେ ଅନ୍ତ ନାହିଁ !


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance