ସଦାଚ଼ାର
ସଦାଚ଼ାର
ମଣିଷ ଜୀବନ ପ୍ରଭୁଙ୍କର ଦାନ
ଅଟଇ ଯେ ଶ୍ରେଷ୍ଠ ସୃଷ୍ଟି
ସତ୍ ଆଚ଼ରଣ ତା ଆତ୍ମାର କଥା
ଯାହା ବ୍ୟକ୍ତିତ୍ବର ଗଣ୍ଠି ।
ସଦାଚାର ସଦା ଶାସ୍ଥାନୁମୋଦିତ
ଜୀବନର ମୂଳ ମନ୍ତ୍ର
ସେ ମନ୍ତ୍ରେ ଦୀକ୍ଷିତ ହୋଇଲେ ଯେ ନର
ପହଞ୍ଚେ ଶାନ୍ତି ଭୂବନ |
ଉଚ୍ଚାରିତ କଥା ଆଚ଼ରଣେ ଯଦି
ହେଉ ଥାଏ ଉଦ୍ଭାସିତ
ଆପେ ଆପେ ମଥା ନଇଁ ଯାଏ ପରା
ବ୍ୟକ୍ତିତ୍ବ ହୁଏ ବନ୍ଦିତ ।
ରୂପ ସୌନ୍ଦର୍ଯ୍ୟ ଯେ ମଳିନ ପଡଇ
ସଦାଚାର ବିନା ପରା
ସଦାଚ଼ାର ଦିଏ ସୌନ୍ଦର୍ଯ୍ୟର ସଂଜ୍ଞା
ହୁଏ ସେ ଶ୍ରଦ୍ଧା ପସରା |
ସଦାଚାରୀ ସଦା ତ୍ୟାଗର ମୂର୍ତ୍ତିଟେ
ପ୍ରେମର ଡୋରୀରେ ଛନ୍ଦା
ସଦାଚ଼ାରୀ ଟିଏ କର୍ତ୍ତବ୍ୟ କର୍ମର
ସୁ ବନ୍ଧନେ ସଦା ବନ୍ଧା ।
ସଦାଚ଼ାର କେବେ ମର୍ଯ୍ୟାଦା ଲଙ୍ଘେନି
ମୁଖ କହେ ମିଠା କଥା
ଆଖିରେ ତାହାର ପବିତ୍ରତା ଭରା
ହରଣ କରେ ସେ ବ୍ୟଥା ।
ଉଦାରତା ପରା ଅଟେ ଆଭୂଷଣ
ସଦାଚ଼ାରୀ ମଣିଷର
ସତ୍ ଆଚ଼ାରରେ ନିର୍ମଳ ହୃଦୟେ
ପ୍ରିୟ ହୁଏ ସଭି ଙ୍କର ।
ସଦାଚାରୀ ପରା ସର୍ବତ୍ର ପୂଜିତ
ଆପେ ମଥା ନଇଁ ଯାଏ
ସଦାଚ଼ାରରେ ଯା ବ୍ୟକ୍ତିତ୍ବ ମଣ୍ଡିତ
ସବୁଠାରୁ ଧନୀ ସିଏ l
ସଦାଚାର ର ଯେ ପ୍ରତ୍ୟେକ ପାଖୁଡା
ଶାନ୍ତିର ବାରତା ଦିଏ
ମଣିଷ ହେବାର ଯଥାର୍ଥ କଥାକୁ
ସଦାଚ଼ାରୀ ବାଣ୍ଟୁଥାଏ |
ହେଲେ ସଦାଚାର ପଣ୍ୟ ଦ୍ରବ୍ୟ ନୁହେଁ
ବଜାର ଘାଟ ରେ ମିଳେ
ମାତୃ ଗର୍ଭୁ ଆସି ପରିବାରେ ସିଏ
ଆଗେ ପରିପୁଷ୍ଟ ହୁଏ ।
ସଦାଚାର ର ମୁଖ୍ୟ ଶିକ୍ଷାକେନ୍ଦ୍ର
ପରିବାର ଯେ ଅଟଇ
ପିତା ମାତା ପରା ପ୍ରଥମ ଶିକ୍ଷକ
ଗୁରୁ ଗୁରୁଜନ ସଭି |
ସଦାଚାରୀ କରି ଗଢ଼ି ତୋଳି ବାରେ
ଘରର ସଂସ୍କାର ଲୋଡ଼ା
ପିତାମାତା ଆଉ ଗୁରୁଜନ ଙ୍କର
ଅନେକ ଦାୟୀତ୍ୱ ପରା |
ସଦାଚାର ର ଯେ ଅପୂର୍ବ ମହକ
ଚ଼ାଲ ମହକ ବାଣ୍ଟିବା
ଆମରି ଘରର କଳିକା ମାନଙ୍କୁ
ବାସ୍ନାୟିତ କରି ଦେବା ।
ସେଇ ବାସନା ଧରା ମହକିବ
ମହକିବ ଯେ ଅଗଣା
ବ୍ୟକ୍ତିତ୍ୱ ଆଭାରେ ସ୍ୱତନ୍ତ୍ର ବିଭାରେ
ଆମେ ଗର୍ବିତ ହୋଇବା |
ସଦାଚାରୀ କରି ମଣିଷ ଗଢ଼ିଲେ
ଘର ବାହାର ହସିବ
ଘରେ ସୃଷ୍ଟି ହେବ ଶାନ୍ତିର ମହଲ
ଜଗତ ହସି ଉଠିବ |