ନିଦାଘେ ଫୁଟିଲା ବସନ୍ତ ସୁଷମା
ନିଦାଘେ ଫୁଟିଲା ବସନ୍ତ ସୁଷମା
ଜୀବନ ଏମିତି ସ୍ରୋତସ୍ୱିନୀ ଟିଏ
ଲକ୍ଷ୍ୟ ପଥରେ ସେ ବହି ଯାଉଥାଏ
କେବେ ଖାଲ ଖମା ଭଙ୍ଗୁର କର୍କଶ
କେବେ ସବୁଜିମା ପ୍ରେମର ପରଶ ।
ସୁଖ-ଦୁଃଖ ଆଉ ହସ-କାନ୍ଦ ନେଇ
ଏ ଆମ ଜୀବନ ଯାଉଅଛି ବହି
ଦୁଃଖ ଦରିଆରେ ଭାସି ଯାଉ ଯାଉ
କେବେ ମିଳି ଯାଏ ବଂଚିବାର ମହୁ ।
ଜୀବନ ମରୁରେ ତତଲା ବାଲିରେ
କେବେ ଯେ କ୍ଷତାକ୍ତ ହୁଅଇ କଣ୍ଟାରେ
କେବେ ମିଳିଯାଏ ଛୋଟ ମରୁଝର
ଜୀବନ କରଇ ସୁ-ପ୍ରୀତି ମଧୁର ।
ଜୀବନ ସୂତ୍ରଟି ଋତୁପର୍ଣ୍ଣା ପୁଣି
କେବେ ନିଦାଘର ତାପର ଛାଉଣି
କେବେ ବରଷାରେ ଜୁଡୁବୁଡୁ ପୁଣି
କେବେ ବସନ୍ତର ଅମୀୟ ଚାହାଣୀ ।
ଜୀବନ ଯନ୍ତ୍ରଣା ନିଦାଘ ପ୍ରକୋପ
କେବେ ରୁକ୍ଷ ଶୁଷ୍କ ଜୀବନର ଦୀପ
କେବେ ରୁକ୍ଷ-ଶୁଷ୍କ କୋଳ ବିମଣ୍ଡିତ
ନିଦାଘେ ବସନ୍ତ ସୁଷମା ବିଚିତ୍ର ।
ଥୁଣ୍ଟା ଗଛ କେବେ ଅତୀତ ଝୁରଇ
ଖୋଜଇ ସବୁଜ କୁସୁମିତ ଭୂଇଁ
କେବେ ବସନ୍ତ ର ପ୍ରେମର ପରଶ
ଅନୁପମା ସେ ଯେ ମୁହଁରେ ତା ହସ |
ଜୀବନେ ବହଇ ବଇଶାଖୀ ବାଆ
ସ୍ଥିର ହୋଇ କେବେ ହୁଏନି ସେ ଠିଆ&nb
sp;
ସମୟ ଦିଅଇ ଚନ୍ଦନ ପ୍ରଲେପ
ଲିଭି ଯାଏ ଯେତେ କଷ୍ଟର ପ୍ରକୋପ |
ଆଶା-ନିରାଶାରେ ଘେରା ଏ ଜୀବନ
ପରିବର୍ତ୍ତନର ଧନେ ମହୀୟାନ
ସବୁ ଏଠି ପରା ପରିବର୍ତ୍ତନୀୟ
ପ୍ରତୀକ୍ଷା ଆମର ଅଟେ ବାଞ୍ଛନୀୟ ।
ପ୍ରାପ୍ତି ଓ ଅପ୍ରାପ୍ତି ,ଜୟ ପରାଜୟ
କେବେ ଏ ଜୀବନ ପରମ ତୃପ୍ତିର
ବ୍ୟଥା ବିଡ଼ମ୍ବନା ଝଡର ତାଣ୍ଡବ
କେବେ ପୁଣି ଶୁଭେ ଆଶ୍ୱାସନା ଭାବ ।
ଘନ ଅନ୍ଧକାର ଜୀବନ ଦୁଆର
କେବେ ଦେଖାଯାଏ ରଶ୍ମି ଆଲୋକର
ମରୁବାଲି ପରେ ପାଦପ ସୁଷମା
ଜୀବନରେ ଭରେ ବସନ୍ତ ମହିମା |
ବ୍ୟର୍ଥତାରେ ଉଠେ ଆଶା ର ଲହରୀ
ସମ୍ଭାବନା ମାନେ ଯାଆନ୍ତି ଯେ ଘେରି
ନିଶ୍ଚଳ ଜୀବନେ ସଚ଼ଳ କରମ
ଦୁର୍ଭାଗ୍ୟର କଷ୍ଟ ହୁଏ ଉପଶମ |
ଦିଗ୍ ଭ୍ରାନ୍ତ ଚେତନା ଜାଗରଣେ ଭରା
ଶୁଷ୍କ ଭୂମି ପରେ ଶସ୍ୟ ର ଫୁଆରା
ନିଦାଘେ ବିରାଜେ ବସନ୍ତ ସୁଷମା ଜୀବନ କହଇ ପ୍ରଭୁଙ୍କ ମହିମା ।
ନିଦାଘେ ଫୁଟିଲା ବସନ୍ତ ସୁଷମା
ଅନ୍ଧାର ଆକାଶେ ଅପୂର୍ବ ଲାଲିମା
ଆତ୍ମ ଚେତନା ରେ ପବିତ୍ର ଝଙ୍କାର
ଅପୂର୍ବ ମିଳନ ଜୀବ ପରମର |