ମଣିଷ ଗଛ
ମଣିଷ ଗଛ
ବୃକ୍ଷ ଭଳି କିଏ ଅଛି ଏ ସଂସାରେ
ତ୍ୟାଗର ନିଚ୍ଛକ ରୂପ
ବିଷ ପାନ କରି ଅମୃତ ବାଣ୍ଟଇ
ଜଳାଏ ଜୀବନ ଦୀପ ।
ପ୍ରତିଶ୍ରୁତି ଭରା ଜୀବନ ତାହାର
ଜୀବ ପାଇଁ ସମର୍ପିତ
ଜନ୍ମରୁ ମରଣ ଭରଣ ପୋଷଣ
ତା ଦାନ ମୃତ୍ୟୁ ପର୍ଯ୍ୟନ୍ତ ।
ନିରବ ଦରଦ ଐଶୂର୍ଯ୍ୟ ଦାନରେ
ହୋଇନି ସେ ପଥ ଭ୍ରଷ୍ଟ
ଆଶା ଭରସାର ନିବିଡ଼ ଜଡଟେ
କର୍ତ୍ତବ୍ୟକାଂକ୍ଷା ରେ ଶ୍ରେଷ୍ଠ ।
ନିର୍ବାକ ତରୁଟି ଦିଅଇ ଆଶ୍ରୟ
ବିକାର ବିହୀନ ଦାନ
ଶେଷ ଯାଏ ଦେଇ ସନ୍ତୋଷ ଲଭଇ
ସିଏ ଯେ ଅଟେ ମହାନ ।
ସଂପର୍କ ର ଜଡ଼ ଅଟେ ତାର ଦୃଢ
କର୍ତ୍ତବ୍ୟ ତା ମହାମନ୍ତ୍ର
ପବିତ୍ର ବ୍ୟକ୍ତିତ୍ଵ ଅସୀମ ତା ତ୍ୟାଗ
ତା ପାଇଁ ଜଗତ ଧନ୍ୟ ।
ଛାଇ ତାର ଅଟେ ପ୍ରଶାନ୍ତି ନିଳୟ
ଫଳ ତା ଅମୃତ ମୟ
ସମର୍ପିତ ପ୍ରାଣ କରେ ନାହିଁ ମାନ
କର୍ମ ତାର ପରିଚୟ |
ମଣିଷ ଗଛ ତ ଭୁଲିଛି ମହତ
ଭୁଲିଛି ନୈତିକ ବୋଧ
ସ୍ଵାର୍ଥର ଯଜ୍ଞରେ ସଂପର୍କ ଆହୂତି
ବିବେକ ଭୁଲିଛି ପଥ ।
ମଣିଷ ଗଛ ର ଅଙ୍ଗେ ଅଙ୍ଗେ ଭରା
ସ୍ଵାର୍ଥପରତା ର ସ୍ପର୍ଶ
ଚିନ୍ତା ଚେତନାର ନାହିଁ ସାମଞ୍ଜସ୍ୟ
ଅନୀତି ରେ ଭରା ଦୃଶ୍ୟ |
ସଂସାରେ ବିରାଜେ ଧୂମ୍ର ମୟ ଦୃଶ୍ୟ
ମଣିଷ ହାତରେ ଅଙ୍କା
ଆଦର୍ଶ ର ହତ୍ୟା ବୋଲାଉଛି ଜିତା
ପାପ ନ ଦିଅଇ ଶଙ୍କା ।
ମନରେ ଭରିଛି ବିଷମୟ ଭାଷା
ସଂପର୍କ ନାମେ ବେଉସା
ଛାୟା କାୟା ତାର ପାପେ ଭରା ଆଜି
ଦୁନିଆ ଭୋଗେ ଦୁର୍ଦ୍ଦଶା |
ମଣିଷ ଗଛଟି ଲଗାଇବା ପାଇଁ
ନିଜେ ମଣିଷ ଡରୁଛି
କର୍ତ୍ତବ୍ୟ କାନ୍ଦଣା ଆଶ୍ରମେ ଶୁଭୁଛି
ଛାୟା କାହିଁ ବା ମିଳୁଛି ।
ଅଙ୍ଗୀକାର ବଦ୍ଧ ମଣିଷ ଭୁଲିଛି
ଭୁଲିଛି ତ୍ୟାଗ ମାଧୁର୍ଯ୍ୟ
ହିସା,କ୍ରୋଧ ଓ ପରଶ୍ରୀକାତର
କରିଛି ତାକୁ ଅଧର୍ଯ୍ୟ ।
ବୃକ୍ଷ ପଢ଼ିନାହିଁ ଶାସ୍ତ୍ର ଓ ପୁରାଣ
ମଣିଷ ପଢ଼ଇ ଶାସ୍ତ୍ର
ଉଚ୍ଚାରଣ ଆଉ ଆଚ଼ରଣେ ତାର
ନାହିଁ ତାଳମେଳ ଅସ୍ତ୍ର ।
ହେ ମଣିଷ ଗଛ ପ୍ରଭୁଙ୍କର ଦାନ
ଶ୍ରେଷ୍ଠ ଜୀବ ଭାବେ ଗଣା
ଶ୍ରେଷ୍ଠତ୍ଵ ଦେଖାଇ ବୃକ୍ଷ ଗୁରୁ କର
ହୁଅ ନା ତୁ ବାଟବଣା ।
ଚିନ୍ତା ଚେତନାକୁ ସଜାଇ ଦେଏ ତୁ
ପ୍ରତିଶ୍ରୁତି ଭରା ଫଳେ
ତ୍ୟାଗର ମନ୍ତ୍ରକୁ ପଢ଼ି ନେଏ ଥରେ
ନିର୍ବାକ୍ ବୃକ୍ଷ ର ଡାଳେ ।
ହେ ମଣିଷ ଗଛ ଗାଅ ସାମ୍ୟ ଗୀତ
କର୍ତ୍ତବ୍ୟ ମନ୍ତ୍ର ଉଚ୍ଚାର
ମନେ ଭରି ଅପୂର୍ବ ମହକ
ବିଶ୍ଵ ହେଉ ଯେ ସୁନ୍ଦର ।